ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି; ପୁଣି ଫେରିବ କି ଲକଡାଉନ? ଏବେ ଜୋର୍ ଧରିଛି ଚର୍ଚ୍ଚା
ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି, ଯାହା ଚିନ୍ତା ବଢ଼ାଇ ଦେଇଛି । ଏକ୍ସପର୍ଟଙ୍କ ମତରେ ଲୋକଙ୍କ ବେପରୁଆ ଭାବ ଦେଖି ସଟଡାଉନ ଓ ଲକଡାଉନ ପୁଣି ଥରେ ଜାରି ହେବା ଉଚିତ ।
ଭୁବନେଶ୍ୱରରେ ସଟଡାଉନ ସମୟରେ ଏକ ଫାଙ୍କା ରାସ୍ତାର ଦୃଶ୍ୟ
- News18 Odia
- Last Updated: September 21, 2020, 9:23 PM IST
ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରିବ କି ଲକଡ଼ାଉନ ଓ ସଟଡାଉନ? ପୁଣି ଥରେ ଜୀବିକା ତୁଳନାରେ ଜୀବନକୁ ଅଧିକ ଗୁରୁତ୍ୱ ମିଳିବକି କି? ରାଜ୍ୟରେ ବର୍ତ୍ତମାନ ସମୟର କରୋନା ସ୍ଥିତିକୁ ନେଇ ଆରମ୍ଭ ହୋଇଛି ଏଭଳି କଳ୍ପନାଜଳ୍ପନା । ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଏକ୍ସପର୍ଟଙ୍କ ମତରେ ସମୟର ଆବଶ୍ୟକତା ଓ ଲୋକଙ୍କର ବେପରୁଆ ମନୋଭାବ ଦେଖି ସଟଡାଉନ ଓ ଲକଡାଉନ ପୁଣି ଥରେ ଫେରିବାର ଆବଶ୍ୟକତା ଅଛି ।
ରାଜ୍ୟରେ କୋଭିଡ ସଂକ୍ରମଣର ପ୍ରଭାବ କମିବା ବଦଳରେ ବଢ଼ିବାରେ ଲାଗିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେବଳ ଭୁବନେଶ୍ୱରରେ ଦୈନିକ ହାରାହାରି କୋଭିଡ ପଜିଟିଭ ସଂଖ୍ୟା ପ୍ରାୟ ୫୦୦ ଉପରେ ରହୁଥିବା ବେଳେ ସହରରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ୧୮,୦୦୦ ଟପିଛି । ଚର୍ଚ୍ଚାର ପ୍ରସଙ୍ଗ ହେଲା ଭୁବନେଶ୍ୱର ଭଳି ରାଜ୍ୟର ଏକାଧିକ ସହରରେ ଏଭଳି ସ୍ଥିତି ଏବେ ବି ରହିଛି ।
ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି, ଯାହା ଚିନ୍ତା ବଢ଼ାଇ ଦେଇଛି । କୋଭିଡ ନିୟମକୁ ଲୋକେ ଠିକ୍ ଭାବେ ପାଳନ କରୁ ନ ଥିବାରୁ ଏଭଳି ସମସ୍ୟା ତୀବ୍ର ହେଉଛି ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ସମୟରେ ପୁଣି ଥରେ ଲକଡାଉନ କିମ୍ବା ସଟଡାଉନ ଫେରିବା ଉପରେ ଚର୍ଚ୍ଚା ଜୋର ଧରିଛି।

ଭୁବନେଶ୍ୱରରେ ଏକ କୋଭିଡ ହସ୍ପିଟାଲ ବାହାରେ ଲୋକେ ଜମା ହୋଇଛନ୍ତି ।
ଲୋକଙ୍କ ମତରେ ଏ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । କିଛି ଲୋକଙ୍କ ମତରେ ସ୍ଥିତି ସୁଧାରିବା ପାଇଁ ସଟଡାଉନ ନିହାତି ଆବଶ୍ୟକ । କିଛି ନ ହେଲେ ସାପ୍ତାହିକ ସଟଡାଉନ ନିହାତି ଜରୁରୀ । ଆଉ କାହା ମତରେ ସଟଡାଉନ ସମାଧାନର ବାଟ ନୁହେଁ। କରୋନା ପାଇଁ ଅର୍ଥନୀତି ଭୁଶୁଡ଼ି ପଡିଛି। ପୁଣି ଥରେ ଲକଡ଼ାଉନ କି ସଟଡାଉନ ସମସ୍ୟା ସୃଷ୍ଠି କରିବ ବୋଲି କହିଛନ୍ତି କିଛି ଲୋକ ।
‘‘ବାରମ୍ବାର ଲକଡାଉନ ଓ ସଟଡାଉନ କାରଣରୁ ଲୋକଙ୍କ ଆର୍ଥିକ କ୍ଷମତା ଦୁର୍ବଳ ହେଲାଣି । ପୁଣି ଥରେ ଲକଡାଉନ ବା ସଟଡାଉନ କଲେ ଲୋକଙ୍କର ବହୁତ କ୍ଷତି ହେବ । କୋଭିଡ ନିୟମ ପାଳନ ହେଉ, କିନ୍ତୁ ଆଉ ସଟଡାଉନ ନ ହେଉ,’’ କହିଛନ୍ତି ବ୍ୟବସାୟୀ ଜୟକୃଷ୍ଣ ପୃଷ୍ଟି ।
ରାଜ୍ୟରେ ଟେଷ୍ଟିଂ ଅଧିକ ବଢିଥିବାରୁ ସଂକ୍ରମଣର ସଂଖ୍ୟା ଅଧିକ ବଢ଼ୁଛି । କିନ୍ତୁ କିଛି ଅମାନିଆଙ୍କ କାରଣରୁ ସଂକ୍ରମଣ ଦ୍ରୁତ ଗତିବେ ବୃଦ୍ଧି ପାଉଛି ବୋଲି ଲୋକେ ଅନୁଭବ କଲେଣି ।
ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା
ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ
‘‘ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସଚେତନତା ଉପରେ ଗୁରୁତ୍ୱ ଦେଉ ଆସୁଥିବା ସତ୍ବେ ଲୋକେ ସୁଧୁରିବାକୁ ନାରାଜ। ଏଭଳି ସମୟରେ ପୁଣି ଥରେ ଅଧିକ ସଂକ୍ରମଣ ଥିବା ଅଞ୍ଚଳରେ ଲକଡାଉନ ବା ସଟଡାଉନର ଆବଶ୍ୟକତା ଅଛି,’’ କହିଛନ୍ତି ଭୂତାଣୁ ବିଶେଷଜ୍ଞ ତଥା ସମ୍ ହସ୍ପିଟାଲ ହ୍ୟୁମାନ ଟ୍ରାଏଲ ସେଣ୍ଟରର ମୁଖ୍ୟ ଡାକ୍ତର ଇପାରୀ ଭେଙ୍କଟ ରାଓ ।
କୋଭିଡ ନିୟମ ଅବମାନନାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଲୋକମାନେ ଧିରେ ଧୀରେ କୋଭିଡ ନିୟମ ମାନିବା ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏବେ ବି ଅନେକ ଅମାନିଆ ନିୟମର ଉଲ୍ଲଙ୍ଘନ କରି ସଂକ୍ରମଣ ବଢ଼ାଉଥିବାରୁ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି ।





