ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜରେ ହେଲେ ରାଣା ଦାଗୁବତି; ଡ୍ରଗ୍ସ ମାମଲାକୁ ନେଇ ପଚାରାଉରା ଜାରି
୨୦୧୭ରେ ସହରରେ ଏକ ଡ୍ରଗ୍ସ ମାମଲା ସଂପର୍କରେ ଅଭିନେତା ରାଣା ଦାଗୁବତୀ ବୁଧବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହୋଇଥିଲେ। ତାଙ୍କୁ ବାହୁବଳୀ ଚଳଚ୍ଚିତ୍ରରୁ ବେଶ ସଫଳତା ମିଳିଥିଲା ।
ଇଡ଼ିରେ ହାଜର ହେଲେ ରାଣା ଦାଗୁବତି (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 9, 2021, 1:04 PM IST
ହାଇଦ୍ରାବାଦ: ୨୦୧୭ରେ ସହରରେ ଏକ ଡ୍ରଗ୍ସ ମାମଲା ସଂପର୍କରେ ଅଭିନେତା ରାଣା ଦାଗୁବତୀ ବୁଧବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହୋଇଥିଲେ। ଏହି ମାମଲାରେ ଚାଲିଥିବା ମନି ଲଣ୍ଡରିଂ ଯାଞ୍ଚର ଏକ ଅଂଶ ଭାବରେ ଡକାଯିବା ପରେ ସେ ଏଜେନ୍ସି ସମ୍ମୁଖରେ ହାଜର ହୋଇଥିଲେ। 'ବାହୁବଲୀ' ଖ୍ୟାତି ଅଭିନେତା ଦାଗୁବତୀ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡିତ ୧୦ ଜଣ ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଇଡି ଦ୍ୱାରା ଡକାଯାଇଥିଲେ। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ପୁରୀ ଜଗନ୍ନାଥ, ଅଭିନେତ୍ରୀ ଚାର୍ମି କୌର ଓ ରାକୁଲପ୍ରୀତ ସିଂ, ଅଭିନେତା ନନ୍ଦୁ ଗତ ବର୍ଷ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ହାଜର ହୋଇଥିଲେ।
ତେଲେଙ୍ଗାନାର ନିଷେଧ ଓ ଏକ୍ସାଇଜ୍ ବିଭାଗ ଜୁଲାଇ ୨, ୨୦୧୭ରେ LSD ଓ MDMA ପରି ଡ୍ରଗ୍ସ ଚୋରା କାରବାରରେ ସଙ୍ଗୀତଜ୍ଞ କଲଭିନ ମାସ୍କେରେନହାସଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ଏକ ଡ୍ରଗ୍ ଗ୍ୟାଙ୍ଗକୁ ଠାବ କରିଥିଲା। ଏହା ପରେ ଡ୍ରଗ୍ସ ଚୋରା କାରବାର ସହ ଜଡିତ ଅନେକ ମାମଲା ପଞ୍ଜୀକୃତ ହୋଇଥିଲା ଓ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା।
ଅଧିକାରୀଙ୍କ କହିବାନୁସାରେ, ଏହି ଗ୍ୟାଙ୍ଗର ଗ୍ରାହକମାନେ ସହରର ସ୍କୁଲ ଓ କଲେଜଗୁଡ଼ିକର ଛାତ୍ର, ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଲୋକ, ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀ ଓ ସାଇବରାବାଦରେ ଆଇଟି କମ୍ପାନୀର କର୍ମଚାରୀ ସମେତ ପ୍ରାୟ ୧୦୦୦ ଲୋକ ସାମିଲ ହୋଇଥିଲେ। ଏହି ସଂପର୍କରେ ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା ବେଳେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଥିଲା।
ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି, କିନ୍ତୁ ତେଲୁଗୁ ସିନେମା ଜଗତର କୌଣସି ବ୍ୟକ୍ତିତ୍ୱ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ। ଇଡି ତେଲୁଗୁ ସିନେମାର ସେହି ସେଲିବ୍ରିଟିମାନଙ୍କୁ ଡକାଇଛି, ଯାହାକୁ ଏସଆଇଟି ଓ ଅନ୍ୟ କେତେକ ଏଜେନ୍ସି ମଧ୍ୟ ପ୍ରଶ୍ନ କରିଥିଲେ। ତେବେ, ସେତେବେଳେ ରାଣାଙ୍କୁ ଏସଆଇଟି ପ୍ରଶ୍ନ କରିନଥିଲା।






