ଦିଲ୍ଲୀରେ କେଜରୀୱାଲ 3.0 ଆରମ୍ଭ ହେଲା; କେନ୍ଦ୍ର ସହ ତାଳମେଳ ଓ ମୋଦିଙ୍କ ଆଶୀର୍ବାଦ ଲୋଡ଼ିଲେ
‘‘ମୁଁ ସମସ୍ତଙ୍କ ପାଇଁ କାମ କରିବି, ସେ ଯେ କୌଣସି ପାର୍ଟି, ଯେ କୌଣସି ଧର୍ମ ବା ଜାତି ବା ସମାଜର ଲୋକ ହୋଇଥା’ନ୍ତୁ ନା କାହିଁକି । ମୁଁ କେବଳ ଆପ୍ ଦଳର ମୁଖ୍ୟ ମନ୍ତ୍ରୀ ନୁହେଁ, ମୁଁ ବିଜେପିର ମୁଖ୍ୟ ମନ୍ତ୍ରୀ, ମୁଁ କଂଗ୍ରେସର ମଧ୍ୟ ମୁଖ୍ୟ ମନ୍ତ୍ରୀ, ମୁଁ ସମସ୍ତଙ୍କର ମୁଖ୍ୟ ମନ୍ତ୍ରୀ,’’ କହିଛନ୍ତି କେଜରୀୱାଲ ।
ଶପଯ ଗ୍ରହଣ କରିବା ପରେ ଭାଷଣ ଦେଉଛନ୍ତି ଅରବିନ୍ଦ କେଜରୀୱାଲ
- News18 Odia
- Last Updated: February 16, 2020, 9:10 PM IST
ନୂଆ ଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ର ସର୍ବୋଚ୍ଚ ନେତା ଅରବିନ୍ଦ କେଜରୀୱାଲ ଆଜି ଲଗାତାର ତୃତୀୟ ଥର ପାଇଁ ରାମଲୀଳା ମଇଦାନରେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ରୂପେ ଶପଥ ନେଇ ନିଜ ସମ୍ବୋଧନରେ କହିଛନ୍ତି ଯେ ସେ କେନ୍ଦ୍ର ସରକାରଙ୍କ ସହିତ ତାଳମେଳ ରଖି କାର୍ଯ୍ୟ କରିବାକୁ ଚ଼ାହୁଁଛନ୍ତି । ସେ ଜାତୀୟ ରାଜଧାନୀର ସୁଚାରୁ ରୂପେ ଶାସନ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ ବି ଲୋଡ଼ିଛନ୍ତି ।
‘‘ମୁଁ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନିମନ୍ତ୍ରଣ ପଠାଇଥିଲି, ହେଲେ ସେ ସମ୍ଭବତଃ ବ୍ୟସ୍ତ ଥିବାରୁ ଆସିପାରିନାହାନ୍ତି ।ଏହି ମଞ୍ଚ ମାଧ୍ୟମରେ ମୁଁ ଦିଲ୍ଲୀର ସୁଚାରୁ ଶାସନ ଓ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ନେବାକୁ ଚାହୁଁଛି,’’ ଶପଥ ନେବା ପରେ ନିଜ ୨୦ ମିନିଟର ଭାଷଣରେ କହିଛନ୍ତି କେଜରୀୱାଲ ।
ନିର୍ବାଚନ ପ୍ରଚାର ବେଳେ ସେ କରିଥିବା ଟିପ୍ପଣୀ ପାଇଁ ତାଙ୍କୁ ବିରୋଧୀମାନେ କ୍ଷମା କରିଦେଇଛନ୍ତି ବୋଲି ସେ ଆଶା ପ୍ରକାଶ କରିଛନ୍ତି ଓ ନିଜକୁ ଦିଲ୍ଲୀର ‘‘ପୁତ୍ର’’ ବୋଲି କହିଛନ୍ତି । ‘‘ଏହା ମୋ’ର ବିଜୟ ନୁହେଁ, ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କର ବିଜୟ,’’ ସେ କହିଛନ୍ତି ।
ନିର୍ବାଚ଼ନ ଶେଷ ହୋଇସାରିଥିବାରୁ ଦିଲ୍ଲୀବାସୀ କାହାକୁ ଭୋଟ ଦେଇଛନ୍ତି ସେ କଥାର ଆଉ ମୂଲ୍ୟ ନାହିଁ ବୋଲି କହି ସେ ସବୁ ଦିଲ୍ଲୀବାସୀଙ୍କୁ ‘‘ମୋ’ ପରିବାର’’ ବୋଲି ଅଭିହିତ କରିଛନ୍ତି । ‘‘ମୁଁ ସମସ୍ତଙ୍କ ପାଇଁ କାମ କରିବି, ସେ ଯେ କୌଣସି ପାର୍ଟି, ଯେ କୌଣସି ଧର୍ମ ବା ଜାତି ବା ସମାଜର ଲୋକ ହୋଇଥା’ନ୍ତୁ ନା କାହିଁକି । ମୁଁ କେବଳ ଆପ୍ ଦଳର ମୁଖ୍ୟ ମନ୍ତ୍ରୀ ନୁହେଁ, ମୁଁ ବିଜେପିର ମୁଖ୍ୟ ମନ୍ତ୍ରୀ, ମୁଁ କଂଗ୍ରେସର ମଧ୍ୟ ମୁଖ୍ୟ ମନ୍ତ୍ରୀ, ମୁଁ ସମସ୍ତଙ୍କର ମୁଖ୍ୟ ମନ୍ତ୍ରୀ,’’ କହିଛନ୍ତି ଆପ୍ ମୁଖ୍ୟ ।
ସେ ଆପ୍ ସରକାର ଦ୍ବାରା ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ବିଭିନ୍ନ ସେବା ଦିଆଯାଉଥିବା ବିଷୟରେ ବିଜେପି କରିଥିବା ଟିପ୍ପଣୀ ପାଇଁ ବିଜେପିକୁ ବି ସମାଲୋଚ଼ନା କରିଛନ୍ତି ।
‘‘କିଛି ଲୋକ କହୁଛନ୍ତି ଯେ କେଜରୀୱାଲ ମାଗଣାରେ ସବୁ କିଛି ଦେଉଛନ୍ତି । ପ୍ରକୃତି ଦୁନିଆର ସବୁ ମୂଲ୍ୟବାନ ଜିନିଷକୁ ସୁନିଶ୍ଚିତ କରିଛନ୍ତି । ତାହା ମା’ର ଭଲପାଇବା ହେଉ କି ବାପାଙ୍କ ଆଶୀର୍ବାଦ ହେଉ ବା ଶ୍ରବଣ କୁମାରଙ୍କ ସମର୍ପଣ,’’ ସେ କହିଛନ୍ତି ।
ଗଲା ମଙ୍ଗଳବାର ଆପ୍ ଦଳର ବିଜୟ ସ୍ପଷ୍ଟ ହେବା ପରେ କିଛି ବିଜେପି ନେତା କହିଥିଲେ ଯେ ଆପ୍ ଦଳର ମାଗଣା ଦେବାର ପ୍ରତିଶ୍ରୁତି, ନା କି ଶାସନର ନୀତି, ଦିଲ୍ଲୀର ମତଦାତାଙ୍କୁ ଆକର୍ଷିତ କରିଥିଲା ।
କେଜରୀୱାଲ କହିଛନ୍ତି ଯେ ସେ ନିଜର ସମାବେଶୀ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବେ। ସେ ଦିଲ୍ଲୀର ପ୍ରଥମ ଓ ଏକ ମାତ୍ର ମୁଖ୍ୟ ମନ୍ତ୍ରୀ ଯିଏ ରାମଲୀଳା ମଇଦାନରେ ନିଜର ଶପଥ ଗ୍ରହଣ ସମାରୋହ ଆୟୋଜିତ କରାଇଥିଲେ । ତାଙ୍କ ପୂର୍ବରୁ ସବୁ ମୁଖ୍ୟ ମନ୍ତ୍ରୀ ରାଜ ଭବନରେ ଶପଥ ନେଇଥିଲେ ।
ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ମୋଟ ୭୦ଟି ଆସନ ମଧ୍ୟରୁ ୬୨ଟି ଜିତି ଆପ୍ ରାଷ୍ଟ୍ରୀୟ ରାଜଧାନୀରେ ଆକର୍ଷକ ବିଜୟ ହାସଲ କରିବା ପରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦିଲ୍ଲୀର ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।
କେଜରୀୱାଲ ପ୍ରଥମେ କହିଥିଲେ ଯେ ସେ ସବୁ ମନ୍ତ୍ରୀଙ୍କ ବିଭାଗ ପୂର୍ବ ସହ ସମାନ ରଖବେ । ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, କୈଳାଶ ଗହଲଟ, ରାଜେନ୍ଦ୍ର ପାଲ, ଗୌତ୍ତମ ଓ ଇମ୍ରାନ ହୁସେନ ରବିବାର ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ।
ଦିଲ୍ଲୀ ପୋଲିସ ସପଥଗ୍ରହଣ ସମାରୋହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ତା କରିଥିଲା । ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସୈନିକ ବଳର ପାଖାପାଖି ୩,୦୦୦ ସୁରକ୍ଷା କର୍ମୀଙ୍କୁ ରାମଲୀଳା ମଇଦାନରେ ମୁତୟନ କରାଯିବା ସହିତ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସବୁ ରାସ୍ତା ଉପରେ ସିସିଟିଭି କ୍ୟାମେରା ଦ୍ବାରା ନଜର ରଖାଯାଇଥିଲା ।
୨୦୧୩ର ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ଆପ୍ ୨୮ଟି ଆସନ ଜିତି ଇତିହାସ ରଚ଼ିଥିଲା । ଦିଲ୍ଲୀର ତିନି ଥର ମୁଖ୍ୟ ମନ୍ତ୍ରୀ ଥିବା କଂଗ୍ରେସର ଶୀଲା ଦୀକ୍ଷୀତଙ୍କୁ ହରାଇ ଆପ୍ ରାଜନୀତିରେ ଏକ ଚିତ୍ତାକର୍ଷକ ଯୁଗ ଆରମ୍ଭ କରିଥିଲା । ତାହା ଏ ପର୍ଯ୍ୟନ୍ତ ଅବ୍ୟାହତ ରହିଛି ।






