ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା ଉଚିତ: ଆଲ୍ହାବାଦ ହାଇକୋର୍ଟ
ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବୁଧବାର ଜାଭେଦ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ଟିପ୍ପଣୀ କରିଛନ୍ତି।
ଗାଈକୁ ଜାତୀୟ ପଶୁ ମାନ୍ଯତା ଦେବାକୁ ହାଇକୋର୍ଟ ଦାବି କରିଛି । (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 12:51 PM IST
ଲକ୍ଷ୍ନୌ : ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋରକ୍ଷାକୁ କୌଣସି ବି ଧର୍ମ ସହିତ ଯୋଡିବା ଆବଶ୍ୟକ ନାହିଁ। ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିଦେବା ଉଚିତ। କେନ୍ଦ୍ରକୁ ଏହା ଉପରେ ବିଚାର କରିବାର ଅଛି।
ସୂଚନା ମୁତାବକ ବୁଧବାର ଜାଭେଦ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ଟିପ୍ପଣୀ କରିଛନ୍ତି। ଆଭେଦଙ୍କ ଉପରେ ଗୋହତ୍ୟା ପ୍ରତିରୋଧ ଆଇନର ଧାରା ୩, ୫ ଓ ୮ ଆଧାରରେ ଅଭିଯୋଗ କରାଯାଇଛି। ଏମିତିରେ କୋର୍ଟ ଅଭିଯୁକ୍ତଙ୍କ ଜାମିନକୁ ଖାରଜ କରି କହିଛନ୍ତି ଯେ ଗୋରକ୍ଷା କେବଳ ଯେ ଗୋଟିଏ ଧର୍ମର ଦାୟିତ୍ୱ ନୁହେଁ। ଗାଈ ଏହି ଦେଶର ସଂସ୍କୃତି ଏବଂ ଏହାର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ।
ଜଷ୍ଟିସ୍ ଶେଖର କୁମାର ଯାଦବ ଏହି ନିଷ୍ପତ୍ତି ଶୁଣାଣୀ କରି କହିଛନ୍ତି ଯେ ସରକାର ବର୍ତ୍ତମାନ ଗୃହରେ ଏକ ବିଲ୍ ଆଣିବା ଦରକାର। ଗାଈକୁ ମଧ୍ୟ ମୌଳିକ ଅଧିକାର ମିଳିବା ଉଚିତ। ଯିଏ ବି ଗାଈକୁ ହଇରାଣ କରୁଛି, ତା’ର କ୍ଷତି କରିବା ନେଇ ପ୍ରୟାସ କରୁଛି, ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଜଜ୍ ଜୋର ଦେଇ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଦେଶରେ ଗାଈକୁ ସୁରକ୍ଷିତ ନ କରାଯାଇଛି ଦେଶର ବିକାଶ ଅଧୁରା ରହିଯିବ।
କୋର୍ଟ ନିଜ ଆଦେଶରେ ଏହା ସ୍ପଷ୍ଟ କରିଛନ୍ତି ଯେ ଜାଭେଦଙ୍କୁ ଜାମିନ ଦେବା ଦ୍ୱାରା ସମାଜରେ ଶାନ୍ତି ଭଙ୍ଗ ହୋଇପାରେ। ଏମିତିରେ ବି ଏହା ପ୍ରଥମ ନୁହେଁ ଯେ କୌଣସି ଅଭିଯୁକ୍ତ ଏମିତି ଅପରାଧ କରିଛି। ପୂର୍ବରୁ ମଧ୍ୟ ଗୋହତ୍ୟା କରାଯାଇଛି, ଯେଉଁ କାରଣରୁ ସମାଜରେ ଏହାର ଖରାପ ପ୍ରଭାବ ପଡୁଛି। ଏହି କଥାକୁ ଧ୍ୟାନରେ ରଖି ଜାମିନ୍ ଦିଆଯାଇ ପାରିବ ନାହିଁ। ଅଭିଯୁକ୍ତ ପୁନର୍ବାର ଏହି ଅପରାଧ କରିପାରେ।କୋର୍ଟ ଆକ୍ରୋଶ ପ୍ରକାଶ କରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ କିଛି ଗୋଶାଳା କାମ କରୁଥିଲେ ବି ସେଗୁଡିକର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ। କୋର୍ଟ ଆହୁରି କହିଛନ୍ତି ଯେ ଏହା ଦେଖି ଦୁଃଖ ଲାଗୁଛି ଯେ ଯେଉଁମାନେ ଗୋରକ୍ଷା କଥା କହୁଛନ୍ତି ପରେ ସେମାନେ ନିଜେ ଗୋ ଭକ୍ଷକ ହୋଇଯାଉଛନ୍ତି।






