ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି: ପ୍ରବଳ ତ୍ରିକୋଣୀୟ ମୁକାବିଲା
କଣ ହେବ କେଜରୀୱାଲଙ୍କର? ଗତ (୨୦୧୫) ବିଧାନ ସଭା ନିର୍ବାଚ଼ନରେ ତାଙ୍କ ଆମ୍ ଆଦମୀ ପାର୍ଟି ୫୪.୩ ପ୍ରତିଶତ ଭୋଟ୍ ପାଇ ଶାସନକୁ ଆସିଥିଲା । ଗତ ବର୍ଷ ମଇରେ ହୋଇଥିବା ସାଧରଣ ନିର୍ବାଚ଼ନରେ ବି.ଜେ.ପି. ଦିଲ୍ଲୀର ସାତଟି ଯାକ ଲୋକ ସଭା ଆସନ ଜିତିଥିଲା । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।
ଶାହୀନ ବାଗରେ ଏକ ପୋଲିଂ ବୁଥରେ ନିର୍ବାଚ଼ନ ଅଧିକାରୀମାନେ ପହଞ୍ଚୁଛନ୍ତି ।
- News18 Odia
- Last Updated: February 8, 2020, 2:05 AM IST
ନୂଆ ଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଏହି ଛୋଟ ମାତ୍ର ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ୭୦ଟି ଆସନ ପାଇଁ ମୈଦାନରେ ଅଛନ୍ତି ୬୬୮ ଜଣ ପ୍ରାର୍ଥୀ ।
ଦିଲ୍ଲୀରେ ନିର୍ବାଚ଼ନ ପାଇଁ ୨,୬୮୯ଟି ପୋଲିଂ ବୁଥ୍ କରାଯାଇଛି, ଯେଉଁଠି ମତଦାନ କରିବେ ୧.୪୭ କୋଟି ମତଦାତା । ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଏଥର ଦିଲ୍ଲୀରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେଉଛି । ମୁଖ୍ୟ ମନ୍ତ୍ରୀ ତଥା ଶାସକ ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ପୁଣି ଥରେ ନିର୍ବାଚ଼ନ ଜିତି ଗାଦିକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି । କେଜରୀୱାଲଙ୍କୁ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି ଦଳ । ବିପକ୍ଷରେ ଥିବା ବିଜେପି ଓ କଂଗ୍ରେସ କାହାରିକୁ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ କରିନାହାନ୍ତି ।
କଂଗ୍ରେସ ୬୬ଟି ଆସନରେ ଲଢୁଥିଲା ବେଳେ ନିଜ ବିହାର ସହଯୋଗୀ ଆର.ଜେ.ଡି. ସହ ମେଣ୍ଟ କରି ବାକି ଚ଼ାରିଟି ଆସନରେ ତା’ ପ୍ରାର୍ଥୀଙ୍କୁ ଠିଆ କରିଛି । ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଛି ଉତ୍ତର ପ୍ରଦେଶର ମାୟାବତୀଙ୍କ ନେତୃତ୍ୱାଧୀନ ଦଳ ବି.ଏସ୍.ପି. । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।
ଗତ (୨୦୧୫) ବିଧାନ ସଭା ନିର୍ବାଚ଼ନରେ ଆମ୍ ଆଦମୀ ପାର୍ଟି ୫୪.୩ ପ୍ରତିଶତ ଭୋଟ୍ ପାଇ ଶାସନକୁ ଆସିଥିଲା । ଦଳ ଏଥର ସେମିତି ଫଳ ଆଶା କରୁଛି । ଗତ ବର୍ଷ ମଇ ମାସରେ ହୋଇଥିବା ସାଧରଣ ନିର୍ବାଚ଼ନରେ ବି.ଜେ.ପି. ଦିଲ୍ଲୀର ସାତଟି ଯାକ ଲୋକ ସଭା ଆସନ ଜିତିଥିଲା । ୨୦୧୫ର ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନରେ ବି.ଜେ.ପି. ୩୨ ପ୍ରତିଶତ ଭୋଟ୍ ପାଇଥିଲା । ସେହି ନିର୍ବାଚ଼ନରେ କଂଗ୍ରେସକୁ ମିଳିଥିଲା ମାତ୍ର ୯.୬ ପ୍ରତିଶତ ଭୋଟ୍, ହେଲେ ଗୋଟେ ବି ଆସନ ମିଳି ନ ଥିଲା । ଗତ ଲୋକ ସଭା ନିର୍ବାଚ଼ନରେ କଂଗ୍ରେସର ଭୋଟ୍ ଅଂଶ କିନ୍ତୁ ବଢ଼ିଥିଲା ।






