ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ; ଦିନ ୧୨ଟା ସୁଦ୍ଧା ୧୫ ପ୍ରତିଶତ ଭୋଟିଂ ହୋଇଛି
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବଦ୍ଧନ, କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଦି ମତଦାନ କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଦିଲ୍ଲୀରେ ଭୋଟ ଦେଇଛନ୍ତି ।
- News18 Odia
- Last Updated: February 8, 2020, 12:26 PM IST
ନୂଆ ଦିଲ୍ଲୀ: ଆଜି ସକାଳ ଠୁଁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୧୨ଟା ସୁଦ୍ଧା ୧୫ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି । ରାଜ୍ୟରେ ୨,୬୮୯ଟି ପୋଲିଂ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଦେଉଛନ୍ତି ୧.୪୭ କୋଟି ମତଦାତା । ସେମାନେ ୭୦ ଜଣ ବିଧାୟକଙ୍କୁ ନିର୍ବାଚ଼ିତ କରିବେ । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୪୦ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାଜପୁରାରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିଜେ ଭୋଟ୍ ଦେବା ସହ ଲୋକମାନଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । କେଜରିୱାଲ ଏଥର ମଧ୍ୟ ନୂଆ ଦିଲ୍ଲୀ ଆସନରୁ ଲଢୁଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଯିଏକି ପ୍ରତାପଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି, ସେ ନିଜ ପରିବାର ସହ ଆସି ପାଣ୍ଡବ ନଗର ଏମ.ସି.ଡି. ସ୍କୁଲରେ ନିଜର ମତଦାନ କରିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଔରଙ୍ଗଜେବ୍ ଲେନରେ ଥିବା ବୁଥରେ ମତଦାନ କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲୋଧି ଇଷ୍ଟେଟରେ ଥିବା ବୁଥ ନଂ ୧୧୪ ମତଦାନ କରିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପତ୍ନୀଙ୍କ ସହ ଆସି ଭୋଟ୍ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ହର୍ଷବଦ୍ଧନ ନିଜ ପରିବାର ସହ ସକାଳୁ ମତଦାନ କରିଛନ୍ତି । ଭୋଟିଂ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଆମ୍ ଆଦମୀ ପାର୍ଟି ଅନ୍ୟ କୌଣସି ଦଳ ସହିତ ମେଣ୍ଟ ନ କରି ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଛି । କେଜରିୱାଲ ଏଥର ମଧ୍ୟ ନୂଆ ଦିଲ୍ଲୀ ଆସନରୁ ଲଢୁଛନ୍ତି । ବିଜେପି ୭୦ଟି ଆସନ ମଧ୍ୟରୁ ୬୭ଟିରେ ନିଜର ପ୍ରାର୍ଥୀ ଦେଇଛି ଓ ବାକି ତିନିଟି ଆସନ ତା’ର ବିହାର ସହଯୋଗୀ ଜେଡିୟୁ ଓ ଏଲ୍.ଜେ.ପି. ପାଇଁ ଛାଡ଼ିଦେଇଛି । ଜେଡିୟୁ ଦୁଇଟି ଓ ଏଲ୍.ଜେ.ପି. ଗୋଟିଏ ଆସନରେ ଲଢ଼ୁଛନ୍ତି ।
କଂଗ୍ରେସ ୬୬ଟି ଆସନରେ ଲଢୁଥିଲା ବେଳେ ନିଜ ବିହାର ସହଯୋଗୀ ଆର.ଜେ.ଡି. ସହ ମେଣ୍ଟ କରି ବାକି ଚ଼ାରିଟି ଆସନରେ ତା’ ପ୍ରାର୍ଥୀଙ୍କୁ ଠିଆ କରିଛି । ସବୁ ୭୦ଟି ଆସନରେ ପ୍ରାର୍ଥୀ ଦେଇଛି ଉତ୍ତର ପ୍ରଦେଶର ମାୟାବତୀଙ୍କ ନେତୃତ୍ୱାଧୀନ ଦଳ ବି.ଏସ୍.ପି. । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।
ଗତ (୨୦୧୫) ବିଧାନ ସଭା ନିର୍ବାଚ଼ନରେ ଆମ୍ ଆଦମୀ ପାର୍ଟି ୫୪.୩ ପ୍ରତିଶତ ଭୋଟ୍ ପାଇ ଶାସନକୁ ଆସିଥିଲା । ଦଳ ଏଥର ସେମିତି ଫଳ ଆଶା କରୁଛି । ଗତ ବର୍ଷ ମଇ ମାସରେ ହୋଇଥିବା ସାଧରଣ ନିର୍ବାଚ଼ନରେ ବି.ଜେ.ପି. ଦିଲ୍ଲୀର ସାତଟି ଯାକ ଲୋକ ସଭା ଆସନ ଜିତିଥିଲା । ୨୦୧୫ର ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନରେ ବି.ଜେ.ପି. ୩୨ ପ୍ରତିଶତ ଭୋଟ୍ ପାଇଥିଲା । ସେହି ନିର୍ବାଚ଼ନରେ କଂଗ୍ରେସକୁ ମିଳିଥିଲା ମାତ୍ର ୯.୬ ପ୍ରତିଶତ ଭୋଟ୍, ହେଲେ ଗୋଟେ ବି ଆସନ ମିଳି ନ ଥିଲା । ଗତ ଲୋକ ସଭା ନିର୍ବାଚ଼ନରେ କଂଗ୍ରେସର ଭୋଟ୍ ଅଂଶ କିନ୍ତୁ ବଢ଼ିଥିଲା ।






