COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ସରକାର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କରୋନା ଟିକା ନେବାରୁ ବାରଣ କରିଛନ୍ତି, ହେଲେ ଟିକା ନେବା ପରେ ଯୌନ ସମ୍ପର୍କ ରଖିବା ନେଇ ସତର୍କତା ବିଷୟରେ କୌଣସି କଥା କୁହାଯାଇ ନ ଥିଲେ ବି କିଛି ସତର୍କତା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞମାନେ ।
କରୋନା ଭାଇରସ୍ (Coronavirus) ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ଏବେ ଟିକାକରଣ (vaccination) ଦ୍ରୁତ ଗତିରେ ଚାଲିଥିବା ବେଳେ ଏକ ବଡ଼ ପ୍ରଶ୍ନ ଲୋକଙ୍କ ସାମନାରେ ଠିଆ ହୋଇଛି । ଏହି ପ୍ରଶ୍ନକୁ ବିଶେଷଜ୍ଞମାନେ ବି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ପ୍ରଶ୍ନଟି ହେଉଛି: କରୋନା ଟିକା ନେବା ପରେ ଯୌନ କ୍ରିୟାରେ (sex) ନିୟୋଜିତ ହେବା ସୁରକ୍ଷିତ କି?
ପ୍ରକୃତରେ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷା ଓ ଏହାର ସୁରକ୍ଷା ଓ କାର୍ଯ୍ୟକ୍ଷମତା ଉପରେ ପରୀକ୍ଷା ଜାରି ରହିଥିବା ବେଳେ ହିଁ ଲୋକଙ୍କୁ ଏହି ଭ୍ୟାକ୍ସିନ୍ ଦେବା ପାଇଁ ଅନୁମତି ମିଳିଥିଲା । ସେଇଥି ପାଇଁ ଯୌନ କ୍ରିୟା ଉପରେ ଉଠିଥିବା ପ୍ରଶ୍ନଟି ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଭାଗ ନେଇଥିବା ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ତିନି ମାସ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ବେଳେ କଣ୍ଡୋମ (condom) ବ୍ୟବହାର କରିବା ଉଚିତ ।
ତେଣୁ ସେହି କାରଣରୁ ଏକ ପ୍ରାସଙ୍ଗିକ ପ୍ରଶ୍ନ ଉଠିଛି ଯେ ବର୍ତ୍ତମାନର ସରକାରୀ ଟିକାକରଣ କାର୍ଯ୍ୟକ୍ରମରେ କରୋନା ଟିକା ନେଉଥିବା ସବୁ ଲୋକଙ୍କୁ ଉପଦେଶ ଦେବା ଉଚିତ ନୁହେଁ କି ଯେ ସେମାନେ ବି ଯୌନ କ୍ରିୟା ସମୟରେ ଗର୍ଭନିରୋଧକ କଣ୍ଡୋମ୍ ବ୍ୟବହାର କରନ୍ତୁ?
ଯଦିଓ ସରକାର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କରୋନା ଟିକା ନେବାରୁ ବାରଣ କରିଛନ୍ତି, ଟିକାକରଣ ପରେ ଯୌନ ସମ୍ପର୍କ ଉପରେ ସତର୍କତା ବିଷୟରେ ସରକାର କୌଣସି କଥା କହି ନାହାନ୍ତି ।
ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ ଟିକାକରଣ ପରେ ଯୌନ ସମ୍ପର୍କ ପାଇଁ କଣ୍ଡୋମ ବ୍ୟବହାର କରିବା ଉଚିତ ବୋଲି ଲୋକେ ଆପେ ଆପେ ବୁଝିଯିବା ଉଚିତ । କ୍ଲିନିକାଲ ପରୀକ୍ଷା ପାଇଁ ଥିବା ନିୟମାବଳୀରୁ ଏ କଥା ସ୍ପଷ୍ଟ ବୋଲି ସେମାନେ କହିଛନ୍ତି ।
କରୋନା ଟିକା ନେବା ପରେ କଣ୍ଡୋମ୍ ନ ପିନ୍ଧି ଯୌନ କ୍ରିୟା କଲେ ଗର୍ଭସ୍ଥ ଶିଶୁ ଉପରେ ବା ମହିଳାଙ୍କ ଫର୍ଟିଲାଇଜେସନ୍ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ କି ନା ତାହା ଏ ପର୍ଯ୍ୟନ୍ତ ଜଣା ନାହିଁ ।
ପ୍ରଖ୍ୟାତ ସେକ୍ସୋଲୋଜିଷ୍ଟ (ସେକ୍ସ ବିଶେଷଜ୍ଞ ଡାକ୍ତର) ଡକ୍ଟର ପ୍ରକାଶ କୋଠାରୀ (Prakash Kothari) କହିଛନ୍ତି ଯେ ଟିକାକରଣରେ ନିୟୋଜିତ ସରକାରୀ ଅଧିକାରୀମାନେ ଲୋକଙ୍କୁ ଏହା ବିଷୟରେ ସତର୍କ କରାଇବା ଆବଶ୍ୟକ । ଯେଉଁମାନଙ୍କର ପ୍ରଜନନ କ୍ଷମତା ଅଛି ସେମାନେ କରୋନା ଟିକା ନେବାର ୩ରୁ ୧୨ ମାସ ପର୍ଯ୍ୟନ୍ତ ନିଜ ମହିଳା ପାର୍ଟନରଙ୍କ ସହିତ ପ୍ରତ୍ୟକ୍ଷ ଯୌନ ସମ୍ପର୍କରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି ।
ଏ ପର୍ଯ୍ୟନ୍ତ କରୋନା ଟିକାର ଅସ୍ୱାଭାବିକ ଭୃଣ ବିକାଶ ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ଯେହେତୁ ଆମକୁ ଜଣାନାହିଁ, ତେଣୁ କ୍ଲିନିକାଲ୍ ଟ୍ରାଏଲର ସ୍ୱେଚ୍ଛାସେବୀମାନଙ୍କ ଉପରେ ଲଗାଯାଇଥିବା ସର୍ତ୍ତରୁ ଏହା ସୂଚିତ ହେଉଛି ଯେ ଏମିତି ଏକ ସମ୍ଭାବନା ଥାଇପାରେ ବୋଲି କହିଛନ୍ତି ଡଃ କୋଠାରୀ ।




