ଭାରତ ସରକାର ଗୋଟିଏ ପରେ ଗୋଟିଏ ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ଦ୍ୱାରା ଚୀନକୁ ବଡ଼ ଧରଣର ଆର୍ଥିକ କ୍ଷତି ହେଉଛି । ମୋଦି ସରକାର ଏବେ ଏହି ନୂଆ ନିୟମ ଲାଗୁ କଲେ ଚୀନ୍ ଭୟଙ୍କର ଭାବେ ପ୍ରଭାବିତ ହେବାର ସମ୍ଭାବନା ଅଛି ।
ଚଳିତ ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ ଖୁଚୁରା ବିକ୍ରେତାଙ୍କ ପାଇଁ ନୂଆ ନିୟମାବଳୀ ଲାଗୁ କରିବାକୁ ଯାଉଛନ୍ତି । ଏହା ଜରିଆରେ ବିକ୍ରେତାମାନଙ୍କୁ ନିଜ ଉତ୍ପାଦ ଉପରେ ଉତ୍ପାଦନ ଓ ବିନିର୍ମାଣର ଦେଶ ସହିତ ଅନେକ ବିବରଣ ଦେବା ଅନିବାର୍ଯ୍ୟ ହେବ ।
ବିକ୍ରେତାଙ୍କୁ ନିଜ ଉତ୍ପାଦ ଉପରେ ଜଣାଇବାକୁ ହେବ ଯେ ସାମଗ୍ରୀଟି କେଉଁ ଦେଶରେ ତିଆରି ହୋଇଛି ବା କେଉଁ ଦେଶର । ଏହା ଦ୍ୱାରା ଗ୍ରାହକମାନଙ୍କୁ ବୁଝିବାରେ ସୁବିଧା ହେବ ଯେ ସେମାନେ ଭାରତରେ ତିଆରି ସାମଗ୍ରୀ ବ୍ୟବହାର କରୁଛନ୍ତି ନା ଅନ୍ୟ କୌଣସି ଦେଶର ।
ଏହି ନିୟମ ଲାଗୁ ହେବା ପରେ ଭାରତରେ ଚୀନର ବ୍ୟବସାୟ ପ୍ରଭାବିତ ହୋଇପାରେ । ଭାରତରେ ଚାଇନିଜ୍ ସାମଗ୍ରୀ ବହିଷ୍କାର ମନୋବୃତ୍ତି ଏବେ ଚରମ ସୀମାରେ ଅଛି ।
କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନଙ୍କ କହିବା ଅନୁସାରେ ଉପଭୋକ୍ତା ସଂରକ୍ଷଣ (ଇ-କମର୍ସ) ନିୟମାବଳୀ, ୨୦୨୦ ଭାରତ ବା ବିଦେଶରେ ରେଜିଷ୍ଟର ହୋଇଥିବା ସବୁ ଇଲେକ୍ଟ୍ରୋନିକ ରିଟେଲର୍ସଙ୍କ (ଇ-ଟେଲର୍ସ) ଉପରେ ଲାଗୁ ହେବ । ଉପଭୋକ୍ତା ମାମଲାର ମନ୍ତ୍ରୀ ପାସୱାନ କହିଛନ୍ତି ଯେ ନିୟମ ଉଲ୍ଲଙ୍ଘନ କଲେ ଉପଭୋକ୍ତା ସଂରକ୍ଷଣ ପ୍ରାଧିକାର ଓ ଉପଭୋକ୍ତା ଅଦାଲତ ଦ୍ୱାରା ନିର୍ଦ୍ଧାରିତ ଦଣ୍ଡ ଭୋଗିବାକୁ ହେବ ।