ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ IFS ଅଫିସର୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ଗୁରୁବାର ସନ୍ଧ୍ୟାରେ (ଡିସେମ୍ବର ୩) ଗିରଫ ହେବାର କେଇ ଘଣ୍ଟା ପରେ ଭୁବନେଶ୍ୱରର ଏସ୍.ଡି.ଜେ.ଏମ୍.ଙ୍କ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ଅର୍ଥାତ ଜେଲକୁ ପଠାଇଥିଲା ।
ଗିରଫ ହେବା ସମୟରୁ କୋର୍ଟକୁ ନିଆଯିବା ବେଳେ ଓ ସେଠାରୁ ଝାରପଡ଼ା ଜେଲକୁ ନିଆଯିବା ବେଳେ ପ୍ରଦୀପ ପାଣିଗ୍ରାହୀ ଲଗାତର ହସୁଥିବା ଦେଖାଯାଇଥିଲା ।
ତିନି ଥର ବିଧାୟକ ସହ ଥରେ ମନ୍ତ୍ରୀ ଥିବା ପ୍ରଦୀପ ପାଣିଗ୍ରାହୀ ଆଦୌ ବିଚଳିତ ହେଉଥିବା ଦେଖାଯାଇ ନ ଥିଲା । ସେ ଲଗାତର ହସୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଙ୍କୁ ଗିରଫ କରିବା ପୂର୍ବରୁ ରାଜ୍ୟ ପୋଲିସ୍ କ୍ରାଇମ୍ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) ତାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇ ପଚରାଉଚରା କରିଥିଲା ।
ପ୍ରଦୀପଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । IPCର ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୪୨୦-B ସହ IT ଆଇନର ଦଫା ୬୬ସି ଓ ୬୬ଡି ଲାଗିଛି ।
ଏବେ ପ୍ରଦୀପଙ୍କ ରିମାଣ୍ଡ ଆବେଦନ କରି ନ ପାରେ ପୋଲିସ । ଅଧିକ ତଥ୍ୟ ସଂଗ୍ରହ ପରେ ଆବଶ୍ୟକ ହେଲେ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି ।
IFS ଅଧିକାରୀ ତଥା APCCF ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା କମ୍ପାନିରେ ଚାକିରି ଦେବାକୁ କହି ଅନେକ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।
MLA ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଓ ଜେଲରେ ଥିବା IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ପାଇଁ ସବୁ ଆୟୋଜନ ସରିଥିଲା । ରାଜସ୍ଥାନର ଯୋଧପୁରରେ ଥିବା ଏକ ଷ୍ଟାର୍ ହୋଟେଲ ଡିସେମ୍ବର ୧୧ ତାରିଖରେ ବିବାହ ହେବାର ଥିଲା । ହେଲେ ତା’ ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା । (ଫଟୋରେ ଶ୍ରୁତି ଓ ଆକାଶ)
ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ ଉଠାଇ ନେବା ପରେ ତାଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ କହିଥିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
ପ୍ରଦୀପଙ୍କୁ ପୋଲିସ ଜେଲକୁ ନେବା ବେଳେ ତାଙ୍କ ପଛେ ପଛେ ଜେଲ୍ ପର୍ଯ୍ୟନ୍ତ ବି ଯାଇଥିଲେ ତାଙ୍କ ପତ୍ନୀ ସୁଜାତା ।