ଢେଙ୍କାନାଳ ଜିଲ୍ଲାରେ ଏକ ଅତି ଅଭାବନୀୟ ଘଟଣା ଘଟିଯାଇଛି । ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ ।
ଏହି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ । ପୁର୍ବ ଶତୃତାକୁ କେନ୍ଦ୍ର କରି ବିଜୟ ଗୁରୁଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।
ଗୁରୁତର ଅବସ୍ଥାରେ ବିଜୟଙ୍କୁ ଢେଙ୍କାନାଳ ସଦର ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଅଭିଯୋଗ ମୁତାବକ ଶୁକ୍ରବାର ଦିନ ସନ୍ତୋଷୀ ପୁଜା ପାଇଁ ସାହି ଭିତରକୁ ଯାଇଥିଲେ ବିଜୟ ଗୁରୁଙ୍କ ଝିଅ ମୋନାଲି ଗୁରୁ । ଚଣା ଭୋଗକୁ ନେଇ ମୋନାଲି ସହ ସେହି ସାହିର ପୂଜା ବେହେରା ନାମକ ଜଣେ ଝିଅର ବଚସା ହୋଇଥିଲା । ଏହି ବଚସା ବେଳେ ମୋନାଲିର ଗାଲକୁ କାମୁଡ଼ି ଦେଇଥିଲା ପୂଜା । ଏ ନେଇ ସୁରପ୍ରତାପପୁର ଫାଣ୍ଡିରେ ବିଜୟ ଅଭିଯୋଗ କରିବା ପରେ ମାମଲାର ସମାଧାନ ହୋଇଥିଲା ।
ହେଲେ ଦିନକ ପରେ ଶନିବାର ସକାଳେ ବିଜୟ ଗୁରୁ ନିଜ ଘରେ ନିଆଁ ପୋଇଁ ହେଉଥିବା ବେଳେ ପାଖ ସାହିର ପନ୍ଦର ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲେ ।
ବିଜୟ ଗୁରୁଙ୍କୁ ସେମାନେ ଠେଙ୍ଗାରେ ମାଡ଼ ମାରିବା ସହ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣିଦେଇଥିଲେ ବୋଲି କହିଛନ୍ତି ତାଙ୍କ ପତ୍ନୀ ବୁଢ଼ି ଗୁରୁ । ସେ ୧୫ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ନେଇଥିବା ନାମଗୁଡ଼ିକ ହେଉଛି ବିରଞ୍ଚି, ଗିଲ, ଈଶ୍ୱର ଓ ବିପିନ୍ ।




