୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ
ଏସିଆନ୍ ଗେମ୍ସରେ ଦୁଇ ଥର ରୌପ୍ୟ ପଦକ ଜିତିଥିବା ଓ ୟୁନିଭରସିଏଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ (Dutee Chand) କ୍ରୀଡ଼ାରେ ରେକର୍ଡ଼ ପାଇଁ ଯେତିକି ଚର୍ଚ୍ଚାରେ ରହନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ସେତିକି ଚର୍ଚ୍ଚାରେ ଥାଆନ୍ତି ।
ଓଡ଼ିଶାରେ ଜନ୍ମ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଆଥଲେଟ୍ ଦୂତୀ ଚାନ୍ଦ (Dutee Chand) ଏବେ ୨୫ ବର୍ଷର ହୋଇଛନ୍ତି । ସେ ଫେବୃଆରୀ ୩, ୨୦୨୧ ବୁଧବାର ଦିନ ନିଜ ବାନ୍ଧବୀମାନଙ୍କ ସହିତ ତାଙ୍କର ୨୫ତମ ଜନ୍ମ ଦିନ ପାଳନ କରିଛନ୍ତି ।
ଅଲିମ୍ପିକ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ତୃତୀୟ ଭାରତୀୟ ମହିଳା ହୋଇଥିବା ଦୂତୀ ନିଜ ୨୫ ତମ ଜନ୍ମ ଦିନ ଉପଲକ୍ଷେ ଏକ ଟିଭିଏସ୍ ଆପାଚେ ବାଇକ୍ କିଣିଛନ୍ତି ।
୨୦୧୮ରେ ଏସିଆନ୍ ଗେମ୍ସରେ ମହିଳା ୧୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତି ଦୂତୀ ଭାରତ ପାଇଁ ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରଥମ ପଦକ ବିଜେତା ହୋଇ ଇତିହାସ ରଚିଥିଲେ । ଭାରତର ଏହି ବିଶିଷ୍ଟ କ୍ରୀଡ଼ାବିତଙ୍କ ବିଷୟରେ ଏଇଠି ଜାଣନ୍ତୁ କେତେକ ଜଣା-ଅଜଣା ତଥ୍ୟ । (ଫଟୋରେ ଦୂତୀ ନିଜ ବାନ୍ଧବୀମାନଙ୍କ ସହ ଜନ୍ମ ଦିନ ପାଳନ କରୁଛନ୍ତି ।)
ଦୂତୀ ଯାଜପୁର ଜିଲ୍ଲାର ଏକ ଗରିବ ବୁଣାକାର ପରିବାରରେ ଫେବୃଆରୀ ୩, ୧୯୯୬ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ଚକ୍ରଧର ଚାନ୍ଦ ଓ ମା’ଙ୍କ ନାଁ ଅଖୁଜୀ ଚାନ୍ଦ । ନିଜକୁ ଆଥଲେଟ୍ ବନେଇବା ପାଇଁ ସେ ଭୀଷଣ ସଙ୍ଘର୍ଷ କରିଥିଲେ । ତାଙ୍କୁ ଖାଲି ପାଦରେ ତାଲିମ ନେବାକୁ ପଡୁଥିଲା ।
ଦାରିଦ୍ର ଓ ଅନେକ ଅସୁବିଧା ସତ୍ତ୍ୱେ ୨୦୧୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ଜିତି ଦୂତୀ ଇତିହାସ ରଚନା କରିଥିଲେ । ସେହି ବର୍ଷ ବିଶ୍ୱ ଯୁବ ଚାମ୍ପିଅନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ସେ କୌଣସି ଅନ୍ତରାଷ୍ଟ୍ରୀୟ ଆଥଲେଟିକ୍ ଚ୍ୟାମ୍ପିଅନଶିପର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ । ସେହି ବର୍ଷ ଉଭୟ ୧୦୦ ମିଟର୍ ଓ ୨୦୦ ମିଡର୍ ଦୌଡ଼ରେ ସେ ଜାତୀୟ ଚ୍ୟାମ୍ପିଅନ୍ ହୋଇଥିଲେ ।
୨୦୧୪ରେ ଦୂତୀ ଚାନ୍ଦଙ୍କୁ କମନୱେଲଥ୍ ଗେମ୍ସ ଦଳରୁ ଓ ଏସୀଆନ୍ ଗେମ୍ସ ଦଳରୁ ବାହାର କରିଦିଆଯାଇଥିଲା । ଆଥଲେଟିକ୍ସରେ ତାଙ୍କର ବଡ଼ ସଫଳତା ପରେ ସେ ଜଣେ ମହିଳା ହୋଇଥିବା ଉପରେ ସନ୍ଦେହ କରାଯାଇଥିଲା । ସେ ହାଇପର୍-ଆଣ୍ଡ୍ରୋଜେନିଜିମର ଶିକାର ବୋଲି ଦର୍ଶାଇ ତାଙ୍କୁ ମହିଳା ଆଥଲେଟ୍ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।
ଦୂତୀ ଚାନ୍ଦ ଏହି ନିଷେଧାଦେଶର ମୁକାବିଲା କରିଥିଲେ ଓ ୨୦୧୬ରେ ଜଣେ ମହିଳା ଆଥଲେଟ୍ ଭାବରେ ପୁଣି ଫେରିଥିଲେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ।
୨୦୧୬ ଏସୀଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନଶିପରେ ମାତ୍ର ୭.୨୮ ସେକେଣ୍ଡରେ ୬୦ ମିଟର୍ ଦୌଡ଼ି ସେ ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ ଓ ଫାଇନାଲରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିଲେ ।
ସେହି ବର୍ଷ ଅଲିମ୍ପିକ୍ସର ୧୦୦ ମିଟର୍ ଦୌଡ଼ ଇଭେଣ୍ଟରେ ଭାଗ ନେଇ ତାହା କରିଥିବା ତୃତୀୟ ଭାରତୀୟ ମହିଳା ହୋଇଥିଲେ ଦୂତୀ । ତା’ ପୂର୍ବର ୩୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ମହିଳା ଅଲିମ୍ପିକ୍ସର ସେହି ଇଭେଣ୍ଟରେ ଭାଗ ନେଇ ନ ଥିଲେ ।
୨୦୧୮ ଏସିଆନ୍ ଗେମ୍ସର ୧୦୦ ମିଟର ଦୌଡ଼ ଇଭେଣ୍ଟରେ ଦୂତୀ ଜିତିଥିବା ରୌପ୍ୟ ପଦକ ୩୨ ବର୍ଷ ମଧ୍ୟରେ ସେହି ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ପଦକ ଥିଲା ।
ସେହି ବର୍ଷର ସେହି ସମାନ ପ୍ରତିଯୋଗିତାରେ ଦୂତୀ ୨୦୦ ମିଟର ଦୌଡ଼ରେ ବି ରୌପ୍ୟ ପଦକ ଜିତିଥିଲେ । ୨୦୦୨ରେ ସରସ୍ୱତୀ ସାହା ସ୍ୱର୍ଣ୍ଣ ପଦକ ଜିତିବା ପରେ ଦୂତୀ ଆଉ ଏକ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ ।
ୟୁନିଭରସିଏଡ଼ରେ ସ୍ୱର୍ଣ୍ଣ ପଦକ ଜିତି ଏହି ଗୌରବ ପାଇଥିବା ପ୍ରଥମ ଭାରତୀୟ ମହିଳା ଦୌଡ଼ଳୀ ହୋଇଥିଲେ ଦୂତୀ । ନାପୋଲିରେ ଆୟୋଜିତ ୨୦୧୯ ଗ୍ରୀଷ୍ମ ୟୁନିଭର୍ସିଏଡ୍ ପ୍ରତିଯୋଗିତାରେ ଦୂତୀ ମାତ୍ର ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିଲେ ।
୨୦୧୯ରେ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବା ପରେ ଦୂତୀ ଭାରତର ପ୍ରଥମ ସମଲିଙ୍ଗୀ ଆଥଲେଟ୍ ହୋଇଥିଲେ । ତାଙ୍କର ଏହି ଆତ୍ମପ୍ରକାଶକୁ ବିଶ୍ୱ ସ୍ତରରେ ପ୍ରଶଂସା କରାଯାଇଥିଲା । (ଫଟୋରେ ନିଜ ଜୀବନସଙ୍ଗୀନୀଙ୍କ ସହ ଦୂତୀ ।)
ମେ’ ୨୦୧୯ରେ ନିଜ ଜୀବନସଙ୍ଗୀନୀଙ୍କ ସହ ସୋସିଆଲ୍ ମିଡ଼ିଆରେ କେତେକ ଫଟୋ ପୋଷ୍ଟ କରି ଦୂତୀ ଲେଖିଥିଲେ: ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ।’’
‘‘ପ୍ରେମରେ କେବେ ବାଛ ବିଚାର ନ ଥାଏ । ତାହା କେବେ କେତେ ବେଳେ କାହାକୁ କେଉଁଠି ହେଇ ଯାଏ, କେହି ଜାଣିପାରନ୍ତିନି । ପ୍ରେମ ସବୁବେଳେ ପବିତ୍ର,’’ କହିଛନ୍ତି ଦୂତୀ ।
ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ନିଜ ଦାମୀ ବି.ଏମ୍.ଡବ୍ଲ୍ୟୁ. କାରକୁ ବିକିବେ ବୋଲି ଜୁଲାଇ ୨୦୨୦ରେ କହିଥିଲେ ଦୂତୀ । ଏ ନେଇ ସୋସିଆଲ ମିଡିଆରେ ସେ ନିଜ କାରର ଏକ ଫଟୋ ପୋଷ୍ଟ କରିଥିଲେ । ‘‘ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେଣୁ ନିଜ କାର୍ ବିକିବାକୁ ଚାହୁଁଛି । ଇଛୁକ ବ୍ୟକ୍ତି ମତେ ମେସେଞ୍ଜରରେ ଯୋଗାଯୋଗ କରିବେ,’’ ଲେଖିଥିଲେ ଦୂତୀ ।
୪୦ ଲକ୍ଷ ଟଙ୍କାରେ ସେହି ବି.ଏମ୍.ଡବ୍ଲ୍ୟୁ. କାର୍ କିଣିଥିଲେ। ତାକୁ ବିକି ଯାହା ଅର୍ଥ ଆସିବ ସେଥିରେ ନିଜ ପ୍ରଶିକ୍ଷଣ ଖର୍ଚ୍ଚ ବହନ କରିବେ ବୋଲି ଦୂତୀ କହିଥିଲେ ।
ଦୂତୀ ୨୦୧୮ରେ ଏସିଆନ ଗେମ୍ସ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ ଠାରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ‘‘ସେଥିରୁ ୧ କୋଟି ଟଙ୍କା ଭଉଣୀମାନଙ୍କ ବାହାଘର ପାଇଁ ଫିକ୍ସ କରିଦେଇଛି। ୮୦ ଲକ୍ଷ ଟଙ୍କା ଘର ତିଆରି ପାଇଁ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲାଗିଥିଲା । ସେଥିରେ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ଅଛି। ବିଏମଡବ୍ଲୁ କାର କିଣିଥିଲି। ଏବେ ଆଉ ମୋ’ ପାଖରେ ପଇସା ନାହିଁ। ବର୍ତ୍ତମାନର କରୋନା ମହାମାରୀ ସମୟରେ ସରକାରଙ୍କୁ ସହଯୋଗ ମାଗିବା ଠିକ୍ ହେବନି। ତେଣୁ ନିଜ ବଳରେ ନିଜ ଅଭ୍ୟାସ କରିବି,’’ କହିଥିଲେ ଦୂତୀ ଚାନ୍ଦ।
ଜୁଲାଇ ୨୦୨୦ରେ ଦୂତୀ ନିଜ ଭଉଣୀଙ୍କ ସମଲିଙ୍ଗୀ ସମ୍ପର୍କର ବି ଖୁଲାସା କରିଥିଲେ । ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କର ଜଣେ ଝିଅ ସହ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ‘‘ଆମ ଘରେ ସେ ଝିଅ ରହିବାର ମୁଁ ଦେଖିଛି । ଗାଁ ପଡ଼ୋଶୀଙ୍କ ଠାରୁ ମଧ୍ୟ ଭଉଣୀଙ୍କ ସମ୍ପର୍କ ବିଷୟରେ ଶୁଣିଛି । ସୋସିଆଲ ମିଡିଆରେ ଉଭୟଙ୍କ ଫୋଟୋ ବି ରହିଛି। ଯଦି ନିଜେ ସମଲିଙ୍ଗୀ ସମ୍ପର୍କରେ ରହୁଛନ୍ତି ତେବେ ମତେ କଣ ପାଇଁ କହୁଛନ୍ତି?’’ ଦୂତୀ ପ୍ରଶ୍ନ କରିଥିଲେ ।
‘‘ମୁଁ କାହାକୁ କେବେ ଟାର୍ଗେଟ କରେନି । ଲୋକେ ମୋତେ ଟାର୍ଗେଟ କରନ୍ତି, ବିବାଦ ଭିତରକୁ ଟାଣନ୍ତି। ମୋର ସମଲିଙ୍ଗୀ ସମ୍ପର୍କ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ମତେ ବହୁତ ଖରାପ କହିଥିଲେ। ମୋ’ ମାଆ ଜଣେ ନିରୀହ ଲୋକ। ତାଙ୍କ ଉପରେ ଚାପ ପକାଇ ଏଭଳି ମନ୍ତବ୍ୟ ନିଆଯାଇଥିଲା,’’ କହିଥିଲେ ଦୂତୀ ।
ଦୂତୀଙ୍କ ପରି ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ବାବଦରେ ମାସକୁ ସାଢ଼େ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ମସାଜ୍ ପାଇଁ ୩୦,୦୦୦ ଟଙ୍କା ଓ ଫିଜିଓ ପାଇଁ ୪୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ପୁଣି ରନିଂ ପାର୍ଟନରଙ୍କ ରହିବା ଓ ଖାଇବା ଖର୍ଚ୍ଚ ସହ ନିଜ ପାଇଁ ଡାଏଟ୍ ଓ ସପ୍ଲିମେଣ୍ଟ୍ ଖର୍ଚ୍ଚ ଅଲଗା ଅଛି । (ଫଟୋରେ ୬୭ତମ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୨୦୦ ମିଟରରେ କିଟ୍ ଓ କିସ୍ ତରଫରୁ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିବା ପରେ ଦୂତୀ ।)




