Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ଉଦ୍ୟମ କରୁଥିବା ବେଳେ କେତେକ ଜରୁରୀ ସାମଗ୍ରୀର ଦର ଉପରେ ଏହି ବଜେଟ୍ ପ୍ରଭାବ ପକାଇବାକୁ ଯାଉଛି । ଜାଣନ୍ତୁ କାହିଁକି ଓ କେତେ ମାତ୍ରାରେ ।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ୨୦୨୧-୨୨ ପାଇଁ ଉପସ୍ଥାପନ କରିଥିବା ବଜେଟରେ କେତେକ ସାମଗ୍ରୀ ମହଙ୍ଗା ଓ ଆଉ କେତେକ ଶସ୍ତା ହେବାର ସୂଚନା ମିଳିଛି ।
ବଜେଟରୁ ମିଳିଥିବା ଇଙ୍ଗିତ ଅନୁସାରେ ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ୍ ଓ ଡିଜେଲ୍ (petrol diesel price)।
ପେଟ୍ରୋଲ୍ ଓ ଡିଜେଲ୍ ମହଙ୍ଗା ହେବାର କାରଣ ହେଉଛି ସରକାର ପେଟ୍ରୋଲ୍ ଉପରେ ଲିଟର ପିଛା ଦରରେ ଅଢ଼େଇ ଟଙ୍କା ଓ ଡିଜେଲ୍ ଉପରେ ଲିଟର ପିଛା ଦରରେ ୪ ଟଙ୍କା କୃଷି ସେସ୍ (agriculture cess) ଲଗାଇଛନ୍ତି ।
ହେଲେ ସୁନା ଓ ରୂପା ଉପରେ ସୀମା ଶୁଳ୍କକୁ ୧୨.୫ ପ୍ରତିଶତରୁ ହ୍ରାସ କରି ୭.୫ ପ୍ରତିଶତ କରାଯାଇଛି । ତେଣୁ ଏପ୍ରିଲ ମାସରୁ ଶସ୍ତା ହୋଇପାରେ ସୁନା ଓ ରୂପା (gold silver rate)।
ତେବେ ସୁନା ଓ ରୂପା ଉପରେ ବି ସରକାର ୨.୫ ପ୍ରତିଶତ କୃଷି ସେସ୍ ଲାଗୁ କରିଥିବାରୁ ସେମାନଙ୍କ ଦର କେତେ କମ୍ ହେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର (gold silver rate budget)।
ମୋବାଇଲ୍ ଫୋନର କିଛି ପାର୍ଟ୍ସ ଉପରେ ବୃଦ୍ଧି ପାଇଛି ସୀମା ଶୁଳ୍କ। ମୋବାଇଲ୍ ଫୋନ୍, ଚାର୍ଜର, ଅଟୋ ପାର୍ଟସ୍ ଓ ସିଲ୍କ୍ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବାରୁ ସେମାନଙ୍କ ଦର ମହଙ୍ଗା ହେବ ।
ଏ ଥର ବଜେଟରେ ଟ୍ୟାକ୍ସ ସ୍ଲାବରେ (tax slab) କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତଥାପି ୭୫ ବର୍ଷ ବୟସରୁ ଅଧିକ ପେନସନଭୋଗୀଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୩୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯିବ । ଏହା ଦ୍ୱାରା ଦେଶର ସ୍ୱାସ୍ଥ୍ୟ ବଜେଟ୍ ପୂର୍ବ ବର୍ଷ ତୁଳନାରେ ୧୩୫ ପ୍ରତିଶତ ବୃଦ୍ଧି ପାଇଛି ।




