ସୁନ୍ଦରଗଡ଼: ହତ୍ୟାରେ ନୃଶଂସତାର ସବୁ ସୀମା ପାର୍ ହେଲା; ହାତ, ଗୋଡ଼ ଓ ମୁଣ୍ଡକୁ କାଟି ଫିଙ୍ଗିଲେ
ନିଖୋଜ ବ୍ୟକ୍ତିଙ୍କ ଏକ କଟା ହାତକୁ ଏକ କୁକୁର ମୁହଁରେ ଧରି ଏକ ହୋଟେଲ ପଛ ପଟେ ବୁଲୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । କଟା ହାତକୁ ମୃତକଙ୍କ ବଡ଼ ଭାଇ ଦେଖିବା ପରେ ଏହା ତାଙ୍କ ଭାଇର ବୋଲି ପୋଲିସକୁ କହିଥିଲେ ।
ହତ୍ୟା ଏତେ ନୃଶଂସ ହୋଇପାରେ ତାହା ଅନେକ ଲୋକ ଜାଣି ନ ଥିବେ । କିନ୍ତୁ ହତ୍ୟାକାରୀ ଆମ କଳ୍ପନା ଠାରୁ ଅଧିକ ନୃଶଂସ ହୋଇପାରେ । ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ରେ । (ଫଟୋରେ ମୃତକ ଯୁବକର ଏକ କଟା ହାତକୁ ଏକ ପୋଖରୀ ଭିତରୁ ବାହାର କରାଯାଉଛି ।)
ଜଣେ ଗ୍ରାମ ସାଥୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ରମେଶ ସିଂ ନାମକ ଏହି ବ୍ୟକ୍ତିଙ୍କ ହାତ, ଗୋଡ଼ ଓ ମୁଣ୍ଡକୁ କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିଛନ୍ତି ହତ୍ୟାକାରୀମାନେ ।
ରମେଶ ସିଂ ଜାନୁଆରୀ ୧୩ ଠାରୁ ନିଖୋଜ ଥିଲେ । ଜାନୁଆରୀ ୧୪ ସନ୍ଧ୍ୟାରେ ବିଲ ଭିତରୁ ମିଳିଥିଲା ତାଙ୍କ କଟା ହାତ । ଏକ କୁକୁର କଟା ହାତକୁ ଧରି ଟାଉନ ଥାନା ଅନ୍ତର୍ଗତ ହୋଟେଲ ଆମ୍ବିଆନ୍ସ ପଛ ପଟେ ବୁଲୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।
କିରେଇ ଗ୍ରାମ ପଞ୍ଚାୟତର ଗ୍ରାମ ସାଥି ରମେଶ ସିଂଙ୍କ କଟା ହାତ ମିଳିବାର ପ୍ରାୟ ଚାରି ଘଣ୍ଟା ପରେ ମିଳିଥିଲା ତାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ । ସ୍ଵତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପାଇଥିଲା ଶରୀରର ବିଭିନ୍ନ ଅଙ୍ଗ ।(ଫଟୋରେ ପୋଖରୀରୁ କଟା ଗୋଡ଼ ଉଦ୍ଧାର ହେଉଛି ।)
ଭବାନୀପୁର ନିକଟସ୍ଥ ଏକ ପୋଖରି ଭିତରୁ ମୃତ ଦେହ ଠାବ କରାଯାଇଛି । ମୃତ ରମେଶଙ୍କ ଦୁଇ ହାତ ଓ ଗୋଡ଼ ଶରୀରରୁ କାଟିଦିଆଯାଇଛି । ମୁଣ୍ଡକୁ ମଧ୍ୟ ଶରୀରରୁ କାଟି ଅଲଗା କରାଯାଇଛି ।
ଘଟଣା ସ୍ଥଳରେ ଏସ୍.ପି. ସାଗରିକା ନାଥ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରମେଶ ତାଙ୍କର କିଛି ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇଥିବା ନେଇ ତାଙ୍କ ପରିବାର କହୁଛନ୍ତି ।
ମୃତକ ରମେଶଙ୍କ ଭାଇ କହିଛନ୍ତି ଯେ ଜଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ସେହି କାରଣରୁ କିଛି ଦିନ ପୁର୍ବରୁ ମହିଳାଙ୍କ ଜ୍ୱାଇଁ ଭଜା ଓରାମଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ବୁଧବାର ଦିନ ଭଜା ଓରାମଙ୍କ ସହ ସେ ଭୋଜି କରିବାକୁ ଯାଇଥିଲେ । ଏହା ହିଁ ହତ୍ୟା ର କାରଣ ହୋଇଥାଇପାରେ ବୋଲି କହିଛନ୍ତି ଅନ୍ୟ ଜଣେ ସମ୍ପର୍କୀୟ ।
ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଭବାନୀପୁର ଗାଁର ଭଜା ଓରାମ ଓ ତାଙ୍କ ଶାଶୂ ମାଧବୀଲତାଙ୍କ ସମେତ ପାଞ୍ଚ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଅଭିଯୋଗ ହୋଇଛି ଯେ ମାଧବୀଲତାଙ୍କ ସହ ରମେଶଙ୍କର ଅନୈତିକ ସମ୍ପର୍କ ଥିବା ଯୋଗୁଁ ଏହି ଜଘନ୍ୟ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ରମେଶଙ୍କୁ ବାଟରୁ ସଫା କରିବା ପାଇଁ ଭଜା ଓରାମ ନିଜ ଶାଶୂଙ୍କ ସହ ମିଶି ଏହି ମର୍ଡ଼ର ପ୍ଲାନ୍ କରିଥିବା ସନ୍ଦେହ କରାଯାଉଛି ।




