ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆ
ଅଭିଯୁକ୍ତ ସରୋଜର ଘର ପାଖ ପୋଖରୀରୁ ହତ୍ୟା ଦିନ ପରୀ ପିନ୍ଧିଥିବା ଲେଗିଂସ୍ ମିଳିବା ପରେ SIT ସରୋଜର ଘରୁ ଏକ ଗାମୁଛା ଜବତ କରିଛି । ପରୀକୁ ଗଳା ଚିପି ହତ୍ୟା କଲା ବେଳେ ତା’ ନାକରୁ ବାହାରିଥିବା ରକ୍ତକୁ ସେଥିରେ ପୋଛିଥିବା ମାନିଥିଲା ସରୋଜ ।
ନୟାଗଡ଼ର ନାବାଳିକା ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଗିରଫ ହେବା ପରେ ତା’ ଘର ପଛ ପଟେ ଥିବା ପୋଖରୀରେ ପ୍ରମାଣର କେତେକ ଅଂଶ ଖୋଜା ଚାଲିଥିବା ବେଳେ SIT ମୁଖ୍ୟ ତଥା ବରିଷ୍ଠ IPS ଅଫିସର୍ ଅରୁଣ ବୋଥ୍ରାଙ୍କ ସାମନାକୁ ଆସିଥଲେ ସରୋଜର ମା’ ଶୈଳବାଳା ସେଠୀ । ସେ ବୋଥ୍ରାଙ୍କ ପାଦ ତଳେ ଲୋଟିଯାଇଥିଲେ ।
ଶୈଳବାଳା ବୋଥ୍ରାଙ୍କ ପାଦ ତଳେ ଲୋଟିଯିବା ପରେ ବୋଥ୍ରା ବିନମ୍ର ଭାବେ ତାଙ୍କୁ ଏମିତି ନ କରିବାକୁ କହିଥିଲେ ଓ ଆଗକୁ ଚାଲିଯାଇଥିଲେ ।
ତା’ ପରେ SIT ତଥା ଜିଲ୍ଲା ପୋଲିସର କେତେକ ଅଧିକାରୀ ଶୈଳବାଳାଙ୍କୁ ତଳୁ ଉଠାଇଥିଲେ ଓ ତାଙ୍କ ଘରକୁ ନେଇଯାଇଥିଲେ ।
ନିଜ ପୁଅ ଏମିତି ଜଘନ୍ୟ ହତ୍ୟା ସହ ହତ୍ୟା ପରେ ଶବ ସହ ଦୁଷ୍କର୍ମର ପ୍ରୟାସ କରି ନାହିଁ ବୋଲି କହିଆସୁଛନ୍ତି ଶୈଳବାଳା । ସେ ଯଦୁପୁର ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟ କରନ୍ତି ।
ଅଭିଯୁକ୍ତ ସରୋଜର ଘର ପଛ ପଟେ ଥିବା ପରିତ୍ୟକ୍ତ ପୋଖରୀରେ ଗତ ତିନି ଦିନ ହେଲା ଓଡ୍ରାଫ୍ ଓ ଅଗ୍ନିଶମ କର୍ମୀମାନେ ପାଣି ଶୁଖାଇ ଖୋଜାଖୋଜି ଚଳାଇଛନ୍ତି ।
ମଙ୍ଗଳବାର ରାତିରେ ସେହି ପୋଖରୀରୁ ହତ୍ୟା ଦିନ ପରୀ ପିନ୍ଧିଥିବା ଲେଗିଂସ୍ ମିଳିଥିବା SIT କହିଥିଲା । ଅଭିଯୁକ୍ତ ସରୋଜ ପରୀକୁ ହତ୍ୟା କରି ମୃତ ଦେହ ପୋଖରୀ ହୁଡ଼ାରେ ଫିଙ୍ଗିବା ପରେ ସେହି ଲେଗିଂସକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା ବୋଲି ବୋଥ୍ରା କହିଥିଲେ ।
କ୍ରାଇମ୍ ବ୍ରାଞ୍ଚ SIT ଅଭିଯୁକ୍ତର ଘରୁ ବୁଧବାର ଦିନ ଏକ ଗାମୁଛା ଜବତ କରିଛି । ପରୀକୁ ତଣ୍ଟି ଚିପି ହତ୍ୟା କଲା ବେଳେ ପୀଡ଼ିତାର ନାକରୁ ବାହାରିଥିଲା ରକ୍ତ । ସେହି ରକ୍ତକୁ ପୋଛିଥିବା ମାନିଥିଲା ମୁଖ୍ୟ ଅଭିଯୁକ୍ତ । ଗାମୁଛାକୁ ପରୀକ୍ଷା ପାଇଁ ଲାବ୍ରୋରେଟୋରିକୁ ପଠାଇବ କ୍ରାଇମ୍ ବ୍ରାଞ୍ଚ ।
SIT ମୁଖ୍ୟ ଅରୁଣ ବୋଥ୍ରା ନିଜେ ପୋଖରୀ ହୁଡ଼ାରେ ଠିଆ ହୋଇ ପୋଖରୀ ଭିତରେ ଚାଲିଥିବା ଖୋଜାଖୋଜି କାର୍ଯ୍ୟର ତଦାରଖ କରିଥିଲେ ।
ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ SIT ତଦନ୍ତ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ମୁଁ ଚାହୁଁଛି ସତ୍ୟର ଉନ୍ମୋଚନ ହେଉ ଓ ନାବାଳିକାକୁ ନ୍ୟାୟ ମିଳୁ । ତାହା ହିଁ ମୋ’ର କାମନା ଓ ପ୍ରାର୍ଥନା ।’’
ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟା ମାମଲାରେ ସାମିଲ୍ ଥିବା ଲୋକଙ୍କୁ ସଂରକ୍ଷଣ ଦେଉଥିବା ଅଭିଯୋଗ ଆସିଥିଲା । ତେବେ ଏହି ଅବିଯୋଗରେ ସତ୍ୟତା ନ ଥିବା ସେ କହିଥିଲେ ।




