ପରୀ ଦୁଷ୍କର୍ମ ଓ ହତ୍ୟା: ପୋଖରୀ ଭିତରୁ ମିଳିଲା ପରୀର ଲେଗିଂସ୍; ଅଭିଯୁକ୍ତ ସରୋଜ ଫିଙ୍ଗିଥିଲା
ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ କ୍ରାଇମ ବ୍ରାଞ୍ଚ SIT ହାତରେ ଲାଗିଛି ଏକ ବଡ଼ ପ୍ରମାଣ । ଅଭିଯୁକ୍ତ ସରୋଜ ସେଠୀର ଘର ପାଖ ପୋଖରୀରୁ ମିଳିଛି ହତ୍ୟା ଦିନ ପରୀ ପିନ୍ଧିଥିବା ଲେଗିଂସ୍ ।
ଯଦୁପୁର ଗାଁରେ ଥିବା ଏକ ପରିତ୍ୟକ୍ତ ପୋଖରୀ ଭିତରୁ ମିଳିଛି ଜୁଲାଇ ମାସ ଘଟିଥିବା ପରୀର ଜଘନ୍ୟ ହତ୍ୟାର ଏକ ବଡ଼ ପ୍ରମାଣ ।
ପରୀକୁ ହତ୍ୟା କରି ତା’ ଶବ ସହ ବଳାତ୍କାର ଉଦ୍ଯମ କରିଥିବା ସେହି ଗାଁର ଅଭିଯୁକ୍ତ ଯୁବକ ସରୋଜ ସେଠୀ ଝିଅଟିର ଲେଗିଂକୁ ସେହି ପୋଖରୀ ଭିତରେ ଫିଙ୍ଗି ଦେଇଥିଲା ।
STF ଅଧିକାରୀମାନଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫର ତିନୋଟି ଟିମ୍ ୨୦ ଘଣ୍ଟା ଧରି ସେହି ପୋଖରୀରୁ ପାଣି ଶୁଖାଇବା ପରେ ମଙ୍ଗଳବାର ରାତିରେ ସେହି ଲେଗିଂସ୍ ମିଳିଛି ।
ପାଞ୍ଚ ବର୍ଷୀୟା ଝିଅଟିର ଜଘନ୍ୟ ହତ୍ୟା ରହସ୍ୟ ଉଦ୍ଭେଦନ କରିଥିବା SITର ମୁଖ୍ୟ IPS ଅଫିସର୍ ଅରୁଣ ବୋଥ୍ରା ଏହି ଘଟଣା ବିଷୟରେ ମଙ୍ଗଳବାର ମଧ୍ୟାନ୍ନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ।
ଅଭିଯୁକ୍ତ ସରୋଜ ସେଠୀକୁ ଜାମୁ କୋଳି ମାଗିବାକୁ ପରୀ ତା’ ଘରକୁ ଜୁଲାଇ ୧୪ ତାରିଖ ଦିନ ଆସିଥିଲା । ଝିଅଟିକୁ ନିଜ ଘର ଭିତରକୁ ନେଇଯିବା ପରେ ସେ ପିନ୍ଧିଥିବା ଫ୍ରକ୍ ଓ ଲେଗିଂସ୍ ଖୋଲିଦେଇଥିଲା ।
ଏତିକି ବେଳେ ପରୀ ପାଟି କରି କାନ୍ଦିବାରୁ ସରୋଜ ତା’ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା । ତା’ ପରେ ତା’ ଶବ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା, ହେଲେ ତୁରନ୍ତ ସେଥିରୁ ନିବୃତ ହୋଇଥିଲା ବୋଲି ସେ ସ୍ୱୀକାର କରିଥିବା କହିଛନ୍ତି ବୋଥ୍ରା।
ତା’ପରେ ପରୀର ମୃତ ଦେହକୁ ସରୋଜ ଏର ଝୋଟ ଅଖାରେ ପୂରେଇଥିଲା । ସେଥିରେ ପରୀର ଫ୍ରକ୍ ବି ପୂରେଇଥିଲା । ସେହି ଅଖାର ମୁହଁ ବାନ୍ଧି ତାକୁ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀ ହୁଡ଼ାରେ ଥିବା ବୁଦା ଭିତରେ ଫିଙ୍ଗିଦେଇଥିଲା ।
ସରୋଜ ପରେ ଜାଣିଥିଲା ଯେ ପରୀର ଲେଗିଂସ୍ ରହିଯାଇଛି । ତେଣୁ ସେ ଲେଗିଂଟିକୁ ନେଇ ସେହି ପୋଖରୀ ଭିତରେ ଫିଙ୍ଗି ଦେଇଥିଲା ବୋଲି ସ୍ୱୀକାର କରିଥିବା କହିଛନ୍ତି ଅରୁଣ ବୋଥ୍ରା ।
ପରୀର ଲେଗିଂସ୍ ମିଳିବା ପରେ ଅଭିଯୁକ୍ତ ସରୋଜ ସେଠୀର କଥିତ ସ୍ୱୀକାରୋକ୍ତି ସତ୍ୟ ବୋଲି ଜଣାପଡ଼ିଛି । ଏହା SIT ତଦନ୍ତକୁ ଆହୁରି ବଳିଷ୍ଠ କରିଛି ।
ଜୁଲାଇ ମାସ ୧୪ ତାରିଖରେ ପରୀ ହଠାତ୍ ନିଖୋଜ ହୋଇଯାଇଥିଲା ଓ ତା’ ଗଳିତ ମୃତ ଦେହ ସେହି ପୋଖରୀ ହୁଡ଼ାରେ ଏକ ଅଖା ଭିତରେ ଜୁଲାଇ ୨୩ ତାରିଖ ଦିନ ମିଳିଥିଲା ।
ପରୀର ପିତାମାତା ଅଶୋକ ସାହୁ ଓ ସୌଦାମିନୀ ସାହୁ ଅଭିଯୋଗ କରିଛନ୍ତି ଯେ ପରୀର ଅଙ୍ଗ ଚୋରି ପାଇଁ ତାକୁ ହତ୍ୟା କରାଯାଇଛି ।
ଗତ ମାସ ପରୀର ମା’ ଓ ବାପା ଜିଲ୍ଲା ପୋଲିସ ତଦନ୍ତ ଠିକ୍ ଭାବେ ନ କରି ଅଭିଯୁକ୍ତମାନଙ୍କୁ ରାଜନୈତିକ ଚାପରେ ସଂରକ୍ଷଣ ଦେଉଛି ବୋଲି କହି ବିଧାନ ସଭା ସାମନାରେ ଆତ୍ମାହୂତି ଦେବାର ଉଦ୍ୟମ କରିଥିଲେ ।




