ଜଣେ ବିବାହିତା ମହିଳା ହୋଇଥିବା କାରଣରୁ ପ୍ରତ୍ୟେକ ପତ୍ନୀଙ୍କର ଅଦିକାର ଅଛି ଯେ ନିଜ ପତିଙ୍କ ଦରମା ବିଷୟରେ ସେ ଜାଣିପାରିବେ । ଯଦି ପତ୍ନୀ ଚାହାଁନ୍ତି, ସେ ମଧ୍ୟ ଆରଟିଆଇ (RTI) ମାଧ୍ୟମରେ ଏହି ସୂଚନା ପାଇପାରିବେ ।
ମଧ୍ୟ ପ୍ରଦେଶ ହାଇ କୋର୍ଟର ୨୦୧୮ର ଏକ ଆଦେଶ ଅନୁଯାୟୀ ଜଣେ ପତ୍ନୀ ଭାବରେ ପ୍ରତି ବିବାହିତା ମହିଳାଙ୍କର ନିଜ ସ୍ୱାମୀଙ୍କ ଦରମା ଜାଣିବାର ସମସ୍ତ ଅଧିକାର ଅଛି ।
ବିବାହିତା ମହିଳା ହୋଇଥିବାରୁ ପତ୍ନୀ ନିଜ ପାଇଁ ଓ ପିଲାମାନଙ୍କ ପାଇଁ ଖାଇବା ପିଇବା, ପୋଷାକ ଓ ଅନ୍ୟାନ୍ୟ ମୌଳିକ ଜିନିଷଗୁଡ଼ିକର ଆଇନଗତ ଅଧିକାର ପାଇଥା’ନ୍ତି । ଏଥିପାଇଁ ପତ୍ନୀଙ୍କୁ ସ୍ୱାମୀଙ୍କୁ ଭିକ୍ଷା ମାଗିବାର ଆବଶ୍ୟକତା ନାହିଁ କାରଣ ତାଙ୍କୁ ଆଇନ ଅନୁଯାୟୀ ଏହି ଅଧିକାରଗୁଡ଼ିକ ଦିଆଯାଇଛି । ପତ୍ନୀ ଏ ବିଷୟରେ ନିଜ ସ୍ୱାମୀଙ୍କ ସହ କଥା ହୋଇପାରନ୍ତି । ସେ ତାଙ୍କୁ ବୁଝାଇ ପାରିବେ ଯେ ଯଦି କେବେ କିଛି ଅଘଟଣ ଘଟେ, ତେବେ ଏହି ସୂଚନାଗୁଡ଼ିକ ଆବଶ୍ୟକ । ଯଦି ସ୍ୱାମୀ ଏହା କରିବାକୁ ଇଚ୍ଛୁକ ନୁହଁନ୍ତି, ତେବେ ସେ ମଧ୍ୟସ୍ଥି କିମ୍ବା ଆର୍ଥିକ ଯୋଜନାକାରୀଙ୍କ (financial planner) ସାହାଯ୍ୟ ଲୋଡ଼ିପାରିବେ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସମସ୍ୟା ସେୟାର୍ କରିବାର ମହତ୍ୱ ବିଷୟରେ ସେ ସେମାନଙ୍କୁ କହିପାରିବେ ।
ଆପଣ RTI ମାଧ୍ୟମରେ ବି ସ୍ୱାମୀଙ୍କ ଦରମା ବିଷୟରେ ସୂଚନା ପାଇପାରିବେ ବୋଲି ନିକଟରେ କେନ୍ଦ୍ରୀୟ ସୂଚନା ଆୟୋଗ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି । ସୂଚନା କମିଶନ ଏହି ସୂଚନା ନ ଦେବାକୁ ଆସିଥିବା ଏକ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସହିତ ଯୋଧପୁରର ଆୟକର ବିଭାଗକୁ ୧୫ ଦିନ ମଧ୍ୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଦରମା ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି । ସ୍ୱାମୀଙ୍କ ମୋଟ ଆୟ ଓ ଟିକସଯୋଗ୍ୟ ଆୟ ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ପତ୍ନୀଙ୍କର ଅଛି ବୋଲି ଆୟୋଗ କହିଛନ୍ତି । ସୂଚନା ଆୟୋଗ ଏହି ଯୁକ୍ତିକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଏହି ପରି ସୂଚନା ତୃତୀୟ ପକ୍ଷକୁ ଦିଆଯାଇପାରିବ ନାହିଁ ଏବଂ ଏହା ଆରଟିଆଇ ଅଧୀନରେ ଆସେ ନାହିଁ ।
ରାଜସ୍ଥାନ ଯୋଧପୁରର ମହିଳା ରେହମତ ବାନୋଙ୍କ ଠାରୁ ଆସିଥିବା ଏର ଆବେଦନର ଶୁଣାଣି କରି ସୂଚନା ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ସୂଚନା ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ସରକାରୀ କର୍ମଚାରୀଙ୍କ ପତ୍ନୀମାନଙ୍କର ସେମାନଙ୍କ ସ୍ୱାମୀ କେତେ ବେତନ ପାଆନ୍ତି ତାହା ଜାଣିବାର ଅଧିକାର ରହିଛି । କେବଳ ଏତିକି ନୁହେଁ, ସ୍ୱାମୀଙ୍କ ଦରମାକ କେଉଁ ଅଂଶ କେଉଁ ହିସାବରେ ମିଳୁଛି ତାହା ବି ଜାଣିବାର ଅଧିକାର ପତ୍ନାଙ୍କର ଅଛି । ଆରଟିଆଇ ଅଧିନିୟମ ଅନୁଯାୟୀ ଏହି ସୂଚନା ସାର୍ବଜନୀନ ବି କରାଯାଇପାରିବ ।
ମହିଳାଙ୍କ ପିତାଙ୍କ ସମ୍ପତ୍ତି ଉପରେ ବି ଅଧିକାର ଅଛି । ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India) ମଧ୍ୟ ଝିଅକୁ ପିତାଙ୍କ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ସଂଶୋଧିତ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ ଝିଅମାନେ ପୁଅମାନଙ୍କ ପରି ସମାନ ଅଂଶ ପାଇବେ । କୋର୍ଟ କହିଛନ୍ତି ଯେ ଝିଅଟି ବିବାହିତ କି ନୁହେଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ହକଦାର ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।