ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗାଁରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ମହେଶ୍ଵର ବେହେରା ନାମକ ଜଣେ ଯୁବକଙ୍କ ଘର ଦ୍ୱାରମୁହଁରେ ଜଣେ ଯୁବତୀ ଧାରଣାରେ ବସିଛନ୍ତି ।
ମହେଶ୍ୱର ବେହେରାଙ୍କର ନିକଟରେ ପ୍ରିୟଲତାଙ୍କ ସହ ଶୁଭ ବିବାହ ଅନୁଷ୍ଠିତ ହୋଇଛି । ଧାରଣାରେ ବସିଥିବା ଏହି ଯୁବତୀ ଝାରସୁଗୁଡ଼ାରୁ ଆସିଛନ୍ତି ଓ କହୁଛନ୍ତି ଯେ ମହେଶ୍ୱର ତାଙ୍କ ସହ ବେଶ୍ କିଛି ମାସ ପ୍ରେମ ସମ୍ପର୍କ ରଖିଥିଲେ, ହେଲେ ଏବେ ପ୍ରତାରଣା ଦେଇଛନ୍ତି ବୋଲି ସେ ଜାଣିବାକୁ ପାଇଛନ୍ତି ।
‘‘ମୋ’ ସହିତ ଅନ୍ୟାୟ ହେଇଛି । ମୋ’ ହଜବ୍ୟାଣ୍ଡ୍ ମୋତେ ବାହା ହେବା ପରେ ଆଉ କାହାକୁ ବାହା ହୋଇଗଲେ । ମୋତେ ମିଛ କହି ସେ ପଳେଇଆସିଛନ୍ତି । ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ,’’ କହିଛନ୍ତି ଧାରଣାରେ ବସିଥିବା ଏହି ଯୁବତୀ ।
‘‘ମୁଁ ତାଙ୍କ ସହିତ ବୁଲିଛି… ସମୟ ବିତେଇଛି । ଫଟୋ ସବୁ ରଖିଛି । ଆପଣ ଯଦି ପ୍ରମାଣ ଚାହାନ୍ତି ତେବେ ରେକର୍ଡ଼ିଂ ବାହାର କଲେ ସବୁ ମିଳିବ,’’ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
‘‘ମୁଁ କେସ୍ କରିବାକୁ ଯାଉଥିଲି, ହେଲେ ସେମାନେ (ବନ୍ଧୁମାନେ ଓ ପରିବାର ଲୋକେ) ମୋତେ ଅଟକାଇଲେ । କହିଲେ କେସ୍ କରନା, ସମାଜ ମିଟିଂରେ ସବୁ ସଲଭ୍ ହେଇଯିବ । ତେଣୁ ଆଉ ମୁଁ କିଛି କଲିନି । ଘରେ ରହିଗଲି,’’ ସେ କହିଛନ୍ତି ।
‘‘ସେ ନ ମିଳିଲେ ମୁଁ ବଞ୍ଚିକି କ’ଣ କରିବି? ମୋତେ ମହେଶ୍ୱର ଦରକାର । ଆଉ କେହି ଦରକାର ନାହିଁ । ତା’ ଯୋଗୁଁ ମୋ’ ଫ୍ୟାମିଲି ଲାଇଫ୍ ଖରାପ ହୋଇଯାଇଛି,’’ କହିଛନ୍ତି ଯୁବତୀ ।
‘‘ମହେଶ୍ୱର ହିଁ ମୋ’ର ଜୀବନ, ସେ ହିଁ ମୋ’ର ସବୁ କିଛି । ତା’ ବିନା ମୁଁ ବଞ୍ଚିବା ପାଇଁ ଚାହୁଁନି । ମୁଁ ମରିଯିବି,’’ କହିଛନ୍ତି ଏହି ଯୁବତୀ ।