ମୋଦି ଓ ମମତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା; ନେତାଜୀ ଜୟନ୍ତୀ ‘ପରାକ୍ରମ ଦିବସ’ ନା ‘ଦେଶ ନାୟକ ଦିବସ’?
ନେତାଜୀଙ୍କ ୧୨୫ତମ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରିବା ପାଇଁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଥିଲା । ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି, ହେଲେ ମମତା ଏଥିରେ ଅରାଜି ।
ପଶ୍ଚିମ ବଙ୍ଗରେ (west Bengal) ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ନେତାଜୀଙ୍କ ୧୨୫ତମ ଜୟନ୍ତୀକୁ (Netaji birth anniversary) ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ (Trinamool Congress) । କୋଲକାତାରେ (Kolkata) ନେତାଜୀଙ୍କ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ସହ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ (Mamata Banerjee) ଦେଖିବାକୁ ମିଳିଥିଲା । ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ମମତା ଉପସ୍ଥିତ ଥିଲେ ମଧ୍ୟ ଅଭିଭାଷଣ ରଖିବାକୁ ମନା କରି ଦେଇଥିଲେ ।
କୋଲକାତାରେ (Kolkata) ଏହି ଭବ୍ୟ କାର୍ଯ୍ୟକ୍ରମରେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ନେତାଜୀ ହିଁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ସଠିକ ଦିଗ ଦେଖାଇଥିଲେ। ‘‘ଦେଶର ପ୍ରତିଟି ନାଗରିକକୁ ଦେଶର ସୈନିକ ବନାଇ ପାରିଥିଲେ ନେତାଜୀ । ବର୍ତ୍ତମାନ ଭାରତ ଆଡ଼କୁ କେହି ଆଙ୍ଗୁଳି ଉଠାଇ ପାରୁନାହାନ୍ତି । ଏବେକାର ଭାରତ ସମୃଦ୍ଧ ଭାରତ ଓ ସଶକ୍ତ ଭାରତ, ଯାହା ନେତାଜୀଙ୍କ ପରିକଳ୍ପନାର ବାସ୍ତବ ରୂପ ।’’
ନେତାଜୀଙ୍କୁ ସ୍ମରଣ କରିବା ପୂର୍ବରୁ ଭିକ୍ଟୋରିଆ ମେମୋରିଆଲ୍ ବୁଲି ଦେଖିଥିଲେ ପ୍ରଧାନ ମନ୍ତ୍ରୀ। ଏହି ଅବସରରେ ସେ ନେତାଜୀ ସଂଗ୍ରହାଳୟର ଉଦଘାଟନ କରିଥିଲେ ।
ପ୍ରଧାନ ମନ୍ତ୍ରୀଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ପଶ୍ଚିମ ବଙ୍ଗରେ ଏକ ବିଶାଳ ରାଲି କରିଥିଲେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) । କୋଲକାତାରେ ପ୍ରାୟ ୬ କିଲୋମିଟର ଧରି ପଦଯାତ୍ରା କରିଥିଲେ ମମତା । ଏହି ରାଲିରେ ହଜାର ହଜାର ସଂଖ୍ୟାରେ ତୃଣମୂଳ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ ।
ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ତୃଣମୂଳ କଂଗ୍ରେସ ପକ୍ଷରୁ ଏଭଳି ବିଶାଳ ରାଲି କରି ବିଜେପିକୁ ଚ୍ୟାଲେଞ୍ଜ କରାଯାଇଥିଲା । ତୃଣମୂଳ କଂଗ୍ରେସର ରାଲି ବେଳେ ଦୁଇ ଦଳର ସମର୍ଥକମାନେ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ।
ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ (Parakram Divas) ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି ବୋଲି ମୋଦି କହିଥିବା ବେଳେ ମମତା ଏହି ଦିନକୁ ପଶ୍ଚିମ ବଙ୍ଗରେ ‘ଦେଶ ନାୟକ ଦିବସ’ (Desh Nayak Divas) ଭାବେ ପାଳନ କରାଯାଉଛି ଓ କରାଯିବ ବୋଲି କହିଥିଲେ ।
ରାଲି ଅବସରରେ ମମତା କହିଥିଲେ କାହିଁକି ନେତାଜୀଙ୍କ ଜୟନ୍ତୀଙ୍କୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ତାହା ବୁଝାପଡୁନି । ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ସୁଭାଷ ବୋଷଙ୍କୁ (Subhas Bose) ‘ଦେଶ ନାୟକ’ ଆଖ୍ୟା ଦେଇଥିଲେ ବୋଲି ସେ କହିଥିଲେ ।
‘‘ନେତାଜୀ ଜଣେ ଦେଶଭକ୍ତ ଥିଲେ ଓ ସେ ଦେଶର ଏକ ତାରକା ଥିଲେ… ପରାକ୍ରମ ଦିବସ’ର ଅର୍ଥ କ’ଣ? ଯଦି ଆପଣ ମୋ’ ସହିତ ପରାମର୍ଶ କରିବାକୁ ଚାହୁଁନାହାଁନ୍ତି, ତେବେ ସୁଗାତା ବୋଷଙ୍କ (ନେତାଜୀଙ୍କ ନାତୁଣୀ ତଥା ନେଟାଜି ରିସର୍ଚ୍ଚ ବ୍ୟୁରୋର ଚେୟାରମ୍ୟାନ୍ ଓ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ) ସହିତ ପରାମର୍ଶ କରିପାରିଥାନ୍ତେ । ଯଦି ଆପଣଙ୍କର କାର୍ଯ୍ୟ ଭୁଲ, ତେବେ ଆମେ ଆପଣଙ୍କୁ ପ୍ରତିକ୍ରିୟା ଦେବୁ,’’ କହିଥିଲେ ମମତା ବାନାର୍ଜୀ ।
ମମତା ଆହୁରି କହିଥିଲେ, “ମୁଁ ‘ପରାକ୍ରାମ’ ଶବ୍ଦକୁ ବୁଝିପାରୁ ନାହିଁ… ମୁଁ ତାଙ୍କର (ନେତାଜୀଙ୍କ) ‘ଦେଶପ୍ରେମ’କୁ ବୁଝିପାରୁଛି । ନେତାଜୀ ହେଉଛନ୍ତି ଏକ ଦର୍ଶନ… ଏକ ଭାବନା… ସେ ସବୁ ଧର୍ମ ମଧ୍ୟରେ ଏକତା ଉପରେ ବିଶ୍ୱାସ କରୁଥିଲେ ।’’




