ସଲମାନ୍ ଖାନଙ୍କ ‘ଅଖତର ଚାଚା’ ଠେଲା ଲଗେଇ ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି
ସଲମାନ୍ ଖାନଙ୍କ (Salman Khan) ଜନ୍ମ ଠାରୁ ଆରମ୍ଭ କରି ତାଙ୍କ ଖୁବ୍ ସଫଳ ଫିଲ୍ମ ‘ମୈଁ ନେ ପ୍ୟାର କିୟା’ ପର୍ଯ୍ୟନ୍ତ ଅଖତର ମିଆଁ ତାଙ୍କ ସହ ଥିଲେ । କିନ୍ତୁ ତା’ ପରେ ସେ ଭୋପାଳ ଫେରିଆସିଥିଲେ ଓ ଆଉ ମୁମ୍ବାଇ ଯାଇପାରି ନ ଥିଲେ।
ଡିସେମ୍ବର ୨୭ ତାରିଖରେ ବଲିଉଡର ଦବଙ୍ଗ ସଲମାନ ଖାନ (Salman Khan) ନିଜ ୫୫ତମ ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ୧୯୬୫ ମସିହାରେ ଏହି ତାରିଖରେ ସେ ମଧ୍ୟ ପ୍ରଦେଶର ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ । ଏହି ସମୟରେ ସଲମାନଙ୍କ ସହ ଜଡ଼ିତ ଏପରି ଏକ ଖବର ବାହାରିଲା ଯାହା ପଢ଼ିବା ପରେ ଅନେକ ନିରାଶ ହୋଇଥିଲେ । ବାସ୍ତବରେ ସଲମାନଙ୍କ ଜନ୍ମ ଠାରୁ ଆରମ୍ଭ କରି ତାଙ୍କ ଫିଲ୍ମ ‘ମୈଁ ନେ ପ୍ୟାର କିୟା’ ପର୍ଯ୍ୟନ୍ତ ସର୍ବଦା ତାଙ୍କ ସହ ଥିବା ବ୍ୟକ୍ତି ଆଜି ଭୋପାଳରେ ଦାରିଦ୍ର୍ୟର ଜୀବନ ଅତିବାହିତ କରୁଛନ୍ତି ।
‘ଦୈନିକ ଭାସ୍କର’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ଅଖତର ମିଆଁ । ତାଙ୍କୁ ସଲମାନ ଖାନ ’ଅଖତର ଚାଚା’ ଡାକୁଥିଲେ । ଆଜି ଏହି ବ୍ୟକ୍ତି ଭୋପାଳରେ ଏକ ଠେଲାରେ ଗୁଡ଼ ବିକ୍ରି କରି ଦାରିଦ୍ର ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି । ଅଖତର ମିଆଁଙ୍କ ଶେଷ ଇଚ୍ଛା ହେଉଛି ନିଜ ମୃତ୍ୟୁ ପୂର୍ବରୁ ଥରେ ସଲମାନ ଖାନଙ୍କୁ ସାକ୍ଷାତ କରିବା ।
ପିଲା ଦିନେ ଯେଉଁ ଅଖତର ମିଆଁଙ୍କ ହାତ ତିଆରି ଆଳୁ ପରାଠା ଖାଇ ସଲମାନ ଖାନ୍ ବଡ଼ ହୋଇଥିଲେ ସେ ସଲମାନଙ୍କ ଜନ୍ମ ଦିନରେ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହିତ ସଲମାନ ଖାନଙ୍କ ସହ ନିଜ ଅତୀତକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ ଯେତେବେଳେ ସଲମାନ ଖାନଙ୍କ ଜନ୍ମ ହେବାର ଥିଲା ସେ ହିଁ ତାଙ୍କ ମା’ ସଲମାଙ୍କୁ ମୁମ୍ବାଇରୁ ଇନ୍ଦୋରକୁ ଆଣିଥିଲେ ।
ଅଖତର ମିଆଁ କହିଛନ୍ତି ଯେ ସଲମାନ ଖାନ ଜନ୍ମ ହେବାକୁ ଯାଉଥିବା ସମୟରେ ତାଙ୍କ ବାପା ସଲିମ ଖାନ ସାହେବ ଅଭିନୟରେ ବ୍ୟସ୍ତ ଥିଲେ । ଏହି କାରଣରୁ ଅଖତର ମିଆଁ ହିଁ ସଲମାନଙ୍କ ମା’ଙ୍କୁ ମୁମ୍ବାଇରୁ ଇନ୍ଦୋରକୁ ଆଣିଥିଲେ । ସଲିମ ଖାନ୍ ପରେ ଜଣେ ପ୍ରସିଦ୍ଧ ଫିଲ୍ମ କାହାଣୀ ଲେଖକ ହୋଇଥିଲେ । ତା’ ପୂର୍ବରୁ ସେ ଅଭିନୟ କରୁଥିଲେ ।




