ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ
ଶିଶୁ କନ୍ୟା ଜନ୍ମ ହେବା ପରେ ସେ ଓ ଅନୁଷ୍କା ଉଭୟ ସୁସ୍ଥ ଅଛନ୍ତି ବୋଲି ବିରାଟ କୋହଲି ଜଣେଇଛନ୍ତି । ‘‘ଆମେ ନିଜ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରୁଥିବାରୁ ଆମ ଖୁସିର ସୀମା ନାହିଁ,’’ କହିଛନ୍ତି ବିରାଟ ।
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । (ଫଟୋରେ ଗର୍ଭବତୀ ଅନୁଷ୍କା ଶର୍ମା; ପତି ବିରାଟ କୋହଲିଙ୍କ ସହ ଅନୁଷ୍କା - ଫାଇଲ୍ ଫଟୋ)
କ୍ୟାପଟେନ ବିରାଟ କୋହଲି ନିଜେ ଟ୍ୱିଟ କରି ପ୍ରଶଂସକମାନଙ୍କୁ ଏହି ଶୁଭ ସୂଚନା ଦେଇଛନ୍ତି (Anushka Sharma gives birth to baby girl)। ବିରାଟ କୋହଲି ଟ୍ୱିଟ୍ କରି କହିଛନ୍ତି, ‘‘ଆମେ ଆପଣଙ୍କୁ ଏହି ଖବର ଶୁଣେଇ ଖୁସି ଅନୁଭବ କରୁଛୁ ଯେ ଆଜି ଅପରାହ୍ଣରେ ମୁଁ ଓ ଅନୁଷ୍କା ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ । ଆମେ ଆପଣମାନଙ୍କୁ ଆପଣଙ୍କ ପ୍ରେମ, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଉଛୁ ।’’
ବିରାଟ କୋହଲି ଏହା ବି କହିଛନ୍ତି ଯେ ଉଭୟ ଅନୁଷ୍କା ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି (Anushka Sharma and daughter)। ‘‘ଆମ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରୁଥିବାରୁ ଆମ ଖୁସିର ସୀମା ନାହିଁ । ଆମେ ଆଶା କରୁଛୁ ଯେ ଆପଣମାନେ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ,’’ ସେହି ଟ୍ୱିଟରେ ସେ ଲେଖିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ବିରାଟ କୋହଲି ଭାରତ ଫେରି ଆସିଥିଲେ । ଅନୁଷ୍କାଙ୍କ ଯତ୍ନ ନେବା ପାଇଁ ବିରାଟ କୋହଲି ଏବେ ପୈତୃକ ଛୁଟି (paternity leave) ନେଇଛନ୍ତି।
୨୦୨୦ର ଅଗଷ୍ଟ ମାସରେ ଉଭୟ ଅନୁଷ୍କା ଓ ବିରାଟ ଘୋଷଣା କରିଥିଲେ ଯେ ସେମାନେ ୨୦୨୧ର ଆରମ୍ଭରେ ଏକ ଶିଶୁର ପିତାମାତା ହେବାକୁ ଯାଉଛନ୍ତି ।
ଦୁହେଁ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଅନୁଷ୍କା ଏକ କଳା ପୋଲ୍କା ଡଟ୍ ଥିବା ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେହି ଫଟୋରେ ବିରାଟ ତାଙ୍କ ପଛରେ ଛିଡ଼ା ହୋଇଥିଲେ । ଉଭୟ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଥିଲେ, ‘‘ଆଉ ତା’ପରେ ଆମେ ତିନି ଜଣ ହେବା! ଜାନୁଆରୀ ୨୦୨୧ରେ ପହଞ୍ଚୁଛି!’’
ଏହି ଘୋଷଣା ପର ଠାରୁ ଅନୁଷ୍କା ଶର୍ମା ନିଜ ଜୀବନର ଏହି ନୂଆ ଯାତ୍ରା ବିଷୟରେ ନିଜର ଭାବନା ଶେୟାର୍ କରିଚାଲିଥିଲେ । ସେ ନିଜ ବେବି ବମ୍ପକୁ ଦେଖାଇ ଏକ ଫଟୋ ଶେୟାର କରିଥିଲେ ଓ ଲେଖିଥିଲେ, “ନିଜ ଭିତରେ ଜୀବନର ସୃଷ୍ଟିକୁ ଅନୁଭବ କରିବା ଠାରୁ ଅଧିକ ବାସ୍ତବ ଓ ନମ୍ର ଅନୁଭବ ଆଉ କିଛି ନାହିଁ । ଯେତେବେଳେ ଏହା ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ତେବେ ପ୍ରକୃତରେ କ’ଣ ଅଛି?’’
ନିକଟରେ ‘ଭୋଗ୍’ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ ସେ ନିଜ ଗର୍ଭ ଅବସ୍ଥାର ପ୍ରଥମ ତ୍ରୈମାସିକରେ କେବଳ ଟୋଷ୍ଟ ଓ କ୍ରାକର ଖାଉଥିଲେ । ‘‘ମୁଁ ପ୍ରଥମ ତିନି ମାସ ପାଇଁ କେବଳ ଟୋଷ୍ଟ ଓ କ୍ରାକର ଖାଉଥିଲି। ତେଣୁ ଯେତେବେଳେ ତିନି ମାସ ପୂରିଲା ମୁଁ ବଡ଼ା ପାଓ ଓ ଭେଲପୁରୀ ଖାଇବାକୁ ଚାହୁଁଥିଲି, କିନ୍ତୁ ତାହା ବି ବେଶୀ ଦିନ ରହିଲା ନାହିଁ । ତେଣୁ ଖାଦ୍ୟ ପାଇଁ ସେମିତି କିଛି ବିଶେଷ ଇଚ୍ଛା ନାହିଁ,’’ ସେ କହିଥିଲେ ।
ଅନୁଷ୍କା ଆହୁରି ମଧ୍ୟ କହିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ବିରାଟ ‘‘ଲୋକମାନଙ୍କ ଆଖି ଆଗରେ ନିଜ ପିଲାକୁ ବଡ଼ କରିବାକୁ’’ ଚାହୁଁ ନାହାଁନ୍ତି । ସେ କହିଥିଲେ, ‘‘ଆମେ ନିଜ ପିଲାକୁ ସୋସିଆଲ ମିଡ଼ିଆରେ ଜଡ଼ିତ କରିବାକୁ ଯୋଜନା କରୁନାହୁଁ । ମୁଁ ଭାବୁଛି ଏହି ନିଷ୍ପତ୍ତି ଆପଣଙ୍କ ପିଲା ନେବାରେ ସକ୍ଷମ ହେବା ଉଚିତ୍ । କୌଣସି ପିଲାକୁ ଅନ୍ୟ ପିଲା ଠାରୁ ଅଧିକ ସ୍ୱତନ୍ତ୍ର (ସ୍ପେଶାଲ୍) କରିବା ଉଚିତ୍ ନୁହେଁ । ବୟସ୍କମାନଙ୍କୁ ବି ଏହାର ମୁକାବିଲା କରିବା କଷ୍ଟକର ଲାଗୁଛି । ଏହା ଆମ ପାଇଁ ବି କଷ୍ଟସାଧ୍ୟ ହେବ, କିନ୍ତୁ ଆମେ ଏହି ନୀତି ଅନୁସରଣ କରିବାକୁ ଚାହୁଁ ।’’




